14ସେମାନେ ଲୋକ ପଠାଇ ପ୍ରହରୀ ପ୍ରାଙ୍ଗଣରୁ ଯିରିମୀୟଙ୍କୁ ଆଣିଲେ, ପୁଣି ଗୃହକୁ ନେଇଯିବା ନିମନ୍ତେ ତାଙ୍କୁ ଶାଫନ୍ର ପୌତ୍ର ଅହୀକାମ୍ର ପୁତ୍ର ଗଦଲୀୟଙ୍କ ହସ୍ତରେ ସମର୍ପଣ କଲେ; ତହିଁରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।
15ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ସମୟରେ, ତାହାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
16“ତୁମ୍ଭେ ଯାଇ କୂଶୀୟ ଏବଦ୍-ମେଲକକୁ କୁହ, ‘ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳର ନିମନ୍ତେ ଆମ୍ଭେ ଏହି ନଗର ଉପରେ ଆପଣାର ବାକ୍ୟସବୁ ସଫଳ କରିବା; ପୁଣି, ସେଦିନ ତୁମ୍ଭ ସାକ୍ଷାତରେ ସେସବୁ ସଫଳ ହେବ।
17ମାତ୍ର ସଦାପ୍ରଭୁ କହନ୍ତି, ସେଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା; ପୁଣି, ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ହେବ ନାହିଁ।
18କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ୍ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ: ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରିଅଛ, ଏହା ସଦାପ୍ରଭୁ କହନ୍ତି।’”