9ଯିହୁଦା ଦେଶରେ ଓ ଯିରୂଶାଲମର ସମସ୍ତ ପଥରେ କୃତ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କର ଦୁଷ୍କ୍ରିୟା ଓ ଯିହୁଦା-ରାଜାଗଣର ଦୁଷ୍କ୍ରିୟା ଓ ସେମାନଙ୍କ ଭାର୍ଯ୍ୟାଗଣର ଦୁଷ୍କ୍ରିୟା, ଆଉ ତୁମ୍ଭମାନଙ୍କର ନିଜର ଦୁଷ୍କ୍ରିୟା ଓ ତୁମ୍ଭମାନଙ୍କର ଭାର୍ଯ୍ୟାଗଣର ଦୁଷ୍କ୍ରିୟା କି ତୁମ୍ଭେମାନେ ପାସୋରିଅଛ?
10ସେମାନେ ଆଜି ପର୍ଯ୍ୟନ୍ତ ଚୂର୍ଣ୍ଣମନା ହୋଇ ନାହାନ୍ତି, କିଅବା ସେମାନେ ଭୟ କରି ନାହାନ୍ତି, ଅଥବା ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଓ ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ଓ ବିଧି ସ୍ଥାପନ କଲୁ, ତଦନୁସାରେ ଆଚରଣ କରି ନାହାନ୍ତି।
11ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: ଦେଖ, ଆମ୍ଭେ ତୁମ୍ଭମାନଙ୍କର ଅମଙ୍ଗଳ କରିବା ପାଇଁ, ସମୁଦାୟ ଯିହୁଦାକୁ ହିଁ ଉଚ୍ଛିନ୍ନ କରିବା ପାଇଁ ତୁମ୍ଭମାନଙ୍କ ବିରୁଦ୍ଧରେ ଆପଣା ମୁଖ ରଖିବା।
12ପୁଣି, ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିସର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଉତ୍ସୁକ ଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା ଓ ସେସମସ୍ତେ ଲୁପ୍ତ ହେବେ; ମିସର ଦେଶରେ ସେମାନେ ପତିତ ହେବେ; ଖଡ୍ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ଖଡ୍ଗ ଓ ଦୁର୍ଭିକ୍ଷରେ ମରିବେ; ଆଉ, ସେମାନେ ଅଭିଶାପ, ବିସ୍ମୟ ଓ ନିନ୍ଦାର ପାତ୍ର ହେବେ।
13କାରଣ ଆମ୍ଭେ ଯେପରି ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଯିରୂଶାଲମକୁ ଦଣ୍ଡ ଦେଇଅଛୁ, ତଦ୍ରୂପ ମିସର ଦେଶରେ ବାସକାରୀମାନଙ୍କୁ ଦଣ୍ଡ ଦେବା;