25ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେମାନେ ଆକାଶର ରାଣୀ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବା ପାଇଁ ଓ ପେୟ-ନୈବେଦ୍ୟ ଢାଳିବା ପାଇଁ ଯେଉଁ ମାନତ କରିଅଛୁ, ତାହା ଅବଶ୍ୟ ସିଦ୍ଧ କରିବୁ, ଏହି କଥା ତୁମ୍ଭେମାନେ ଓ ତୁମ୍ଭମାନଙ୍କର ସ୍ତ୍ରୀମାନେ ମୁଖରେ କହି ହସ୍ତ ଦ୍ୱାରା ତାହା ସମ୍ପନ୍ନ କରିଅଛ। ତେବେ ତୁମ୍ଭମାନଙ୍କର ମାନତ ଦୃଢ଼ କର ଓ ତୁମ୍ଭମାନଙ୍କର ମାନତ ସିଦ୍ଧ କର।
26ଏହେତୁ ହେ ମିସର ଦେଶ ନିବାସୀ ଯିହୁଦାର ଲୋକ ସମସ୍ତେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଆପଣା ମହାନାମ ନେଇ ଶପଥ କରିଅଛୁ ଯେ, ‘ପ୍ରଭୁ ସଦାପ୍ରଭୁ ଜୀବିତ’ ବୋଲି ମିସର ଦେଶସ୍ଥ କୌଣସି ଯିହୁଦୀ ଲୋକ ଆମ୍ଭର ନାମ ଆଉ ମୁଖରେ ଘେନିବ ନାହିଁ।
27ଦେଖ, ଆମ୍ଭେ ସେମାନଙ୍କର ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳ ନିମନ୍ତେ ଜଗି ରହିବା; ତହିଁରେ ମିସର ଦେଶସ୍ଥ ସମୁଦାୟ ଯିହୁଦୀ ଲୋକ ନିଃଶେଷ ନ ହେବା ପର୍ଯ୍ୟନ୍ତ ଖଡ୍ଗ ଓ ଦୁର୍ଭିକ୍ଷରେ ଲୁପ୍ତ ହେବେ।
28ପୁଣି, ଖଡ୍ଗରୁ ରକ୍ଷାପ୍ରାପ୍ତ ଅଳ୍ପସଂଖ୍ୟକ ଲୋକ ମିସର ଦେଶରୁ ଯିହୁଦା ଦେଶକୁ ଫେରିଯିବେ; ତହିଁରେ ଯେଉଁମାନେ ପ୍ରବାସ କରିବା ପାଇଁ ମିସର ଦେଶକୁ ଯାଇଅଛନ୍ତି, ଯିହୁଦାର ସେହି ଅବଶିଷ୍ଟାଂଶ ଲୋକ ସମସ୍ତେ, ଆମ୍ଭର କି ସେମାନଙ୍କର କାହାର ବାକ୍ୟ ଅଟଳ ହେବ, ଏହା ଜାଣିବେ।
29ପୁଣି, ସଦାପ୍ରଭୁ କହନ୍ତି, ଆମ୍ଭେ ଏହି ସ୍ଥାନରେ ତୁମ୍ଭମାନଙ୍କୁ ଦଣ୍ଡ ଦେବା ଓ ତାହା ତୁମ୍ଭମାନଙ୍କ ପ୍ରତି ଚିହ୍ନସ୍ୱରୂପ ହେବ, ତହିଁରେ ତୁମ୍ଭମାନଙ୍କର ଅମଙ୍ଗଳ ନିମନ୍ତେ ଆମ୍ଭର ବାକ୍ୟ ଯେ ନିଶ୍ଚୟ ଅଟଳ ହେବ, ଏହା ତୁମ୍ଭେମାନେ ଜାଣିବ।