9ଆମ୍ଭେମାନେ ବାବିଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, ମାତ୍ର ସେ ସୁସ୍ଥ ହେଲା ନାହିଁ; ଆସ, ଆମ୍ଭେମାନେ ତାହାକୁ ପରିତ୍ୟାଗ କରି ପ୍ରତ୍ୟେକେ ଆପଣା ଆପଣା ଦେଶକୁ ଯାଉ; କାରଣ ତାହାର ଦଣ୍ଡ ଗଗନସ୍ପର୍ଶୀ ଓ ଆକାଶ ପର୍ଯ୍ୟନ୍ତ ଉଚ୍ଚୀକୃତ ଅଛି।
10ସଦାପ୍ରଭୁ ଆମ୍ଭମାନଙ୍କର ଧାର୍ମିକତା ପ୍ରକାଶ କରିଅଛନ୍ତି; ଆସ, ଆମ୍ଭେମାନେ ସିୟୋନରେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କର କ୍ରିୟା ପ୍ରକାଶ କରୁ।
11ତୁମ୍ଭେମାନେ ତୀର ତୀକ୍ଷ୍ଣ କର; ଦୃଢ଼ କରି ଢାଲ ଧର; ସଦାପ୍ରଭୁ ମାଦୀୟ ରାଜାଗଣର ମନ ଉତ୍ତେଜିତ କରିଅଛନ୍ତି; କାରଣ ବାବିଲକୁ ନଷ୍ଟ କରିବା ପାଇଁ ତାହା ବିରୁଦ୍ଧରେ ତାହାଙ୍କର ସଂକଳ୍ପ ଅଛି; ଯେହେତୁ ଏହା ସଦାପ୍ରଭୁଙ୍କର ଦାତବ୍ୟ ପ୍ରତିଶୋଧ, ତାହାଙ୍କର ମନ୍ଦିର ନିମିତ୍ତକ ପ୍ରତିଶୋଧ ଅଟେ।
12ବାବିଲର ପ୍ରାଚୀର ବିରୁଦ୍ଧରେ ଧ୍ୱଜା ସ୍ଥାପନ କର, ରକ୍ଷକଦଳ ଦୃଢ଼ କର, ପ୍ରହରୀଗଣ ନିଯୁକ୍ତ କର, ଗୋପନ ସ୍ଥାନରେ ସୈନ୍ୟ ରଖ: କାରଣ ସଦାପ୍ରଭୁ ବାବିଲର ନିବାସୀମାନଙ୍କ ବିଷୟରେ ଯାହା କହିଲେ, ତାହା ସଂକଳ୍ପ କରି ସିଦ୍ଧ କରିଅଛନ୍ତି।
13ହେ ଜଳରାଶିର ଉପରେ ବାସକାରିଣୀ ଓ ଧନ ସମ୍ପତ୍ତିରେ ଐଶ୍ୱର୍ଯ୍ୟଶାଳିନୀ, ତୁମ୍ଭର ଅନ୍ତିମକାଳ, ତୁମ୍ଭର ଅନ୍ୟାୟ ଲାଭର ସୀମା ଉପସ୍ଥିତ।