1ପଥୂୟେଲଙ୍କ ପୁତ୍ର ଯୋୟେଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
2ହେ ଇସ୍ରାଏଲର ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ, ଆଉ ହେ ଦେଶନିବାସୀସକଳ, ତୁମ୍ଭେମାନେ କର୍ଣ୍ଣପାତ କର। ତୁମ୍ଭମାନଙ୍କ ସମୟରେ କିଅବା ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟରେ କି ଏହା ଘଟିଅଛି?
3ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ, ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଉନ୍ତୁ।
4ଶୂକ କୀଟ ଯାହା ଛାଡ଼ିଲା, ପଙ୍ଗପାଳ ତାହା ଖାଇଅଛି ଓ ପଙ୍ଗପାଳ ଯାହା ଛାଡ଼ିଲା, ପତଙ୍ଗ ତାହା ଖାଇଅଛି ଓ ପତଙ୍ଗ ଯାହା ଛାଡ଼ିଲା, ଘୁର୍ଘୁରିଆ ତାହା ଖାଇଅଛି।
5ହେ ମତୁଆଳାମାନେ, ଜାଗି ଉଠ ଓ ରୋଦନ କର, ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର; କାରଣ ତାହା ତୁମ୍ଭମାନଙ୍କର ମୁଖରୁ ଅନ୍ତର କରାଯାଇଅଛି।