19ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ। ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୁଦୀମାନଙ୍କ ରାଜା।
20ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି, ସେହି ପତ୍ର ଏବ୍ରୀ, ଲାଟୀନ୍ ଓ ଗ୍ରୀକ୍ ଭାଷାରେ ଲେଖା ହୋଇଥିଲା।
21ତେଣୁ ଯିହୁଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୁଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୁଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ।
22ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ।
23ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ। ସେହି ଅଙ୍ଗରଖା ସିଲେଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା।