7ମାତ୍ର ଆମ୍ଭର ସେବକ ମୋଶା ତୁମ୍ଭକୁ ଯେସମସ୍ତ ବ୍ୟବସ୍ଥା ଆଦେଶ କରିଅଛି, ସେସବୁ ତୁମ୍ଭେ ମାନିବାକୁ ଓ କରିବାକୁ ବଳବାନ ଓ ଅତି ସାହସିକ ହୁଅ; ତହିଁର ଦକ୍ଷିଣକୁ କି ବାମକୁ ଫେର ନାହିଁ, ତହିଁରେ ତୁମ୍ଭେ ଯେକୌଣସି ସ୍ଥାନକୁ ଯିବ, ସେଠାରେ କୁଶଳ ପ୍ରାପ୍ତ ହେବ।
8ଏହି ବ୍ୟବସ୍ଥା-ପୁସ୍ତକ ତୁମ୍ଭ ମୁଖରୁ ବିଚଳିତ ନ ହେଉ, ମାତ୍ର ତୁମ୍ଭେ ତହିଁର ଲେଖାନୁସାରେ ମାନିବାକୁ ଓ କରିବାକୁ ଦିବାରାତ୍ର ତାହା ଧ୍ୟାନ କର; ତାହା କଲେ, ତୁମ୍ଭେ ଆପଣା ପଥ ସଫଳ କରିବ ଓ ତୁମ୍ଭେ କୁଶଳ ପ୍ରାପ୍ତ ହେବ।
9ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ସଙ୍ଗୀ ହେବେ।”
10ଏଥିଉତ୍ତାରେ ଯିହୋଶୂୟ ଲୋକମାନଙ୍କ ଅଧ୍ୟକ୍ଷମାନଙ୍କୁ ଆଜ୍ଞା ଦେଇ କହିଲେ,
11“ଛାଉଣି ମଧ୍ୟଦେଇ ଯାଅ ଓ ଲୋକମାନଙ୍କୁ ଆଜ୍ଞା ଦେଇ କୁହ, ‘ତୁମ୍ଭେମାନେ ଆପଣାମାନଙ୍କ ପାଇଁ ପାଥେୟ ସାମଗ୍ରୀ ପ୍ରସ୍ତୁତ କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦେବେ, ତହିଁରେ ପ୍ରବେଶ କରି ତାହା ଅଧିକାର କରିବା ନିମନ୍ତେ ତିନି ଦିନ ମଧ୍ୟରେ ତୁମ୍ଭମାନଙ୍କୁ ଏହି ଯର୍ଦ୍ଦନ ପାର ହୋଇ ଯିବାକୁ ହେବ।’”