11ଏଥିରେ ସେମାନେ ଇସ୍ରାଏଲ ସମ୍ମୁଖରୁ ପଳାଉ ପଳାଉ ଯେତେବେଳେ ବେଥ୍-ହୋରଣର ଗଡ଼ାଣି ପଥରେ ଉପସ୍ଥିତ ହେଲେ, ସେତେବେଳେ ସଦାପ୍ରଭୁ ଅସେକା ପର୍ଯ୍ୟନ୍ତ ସେମାନଙ୍କ ଉପରେ ଆକାଶରୁ ବଡ଼ ବଡ଼ ଶିଳାବୃଷ୍ଟି କଲେ, ତହିଁରେ ସେମାନେ ମଲେ; ଇସ୍ରାଏଲ ସନ୍ତାନମାନେ ଖଡ୍ଗରେ ଯେତେ ଲୋକ ବଧ କରିଥିଲେ, ତତୋଧିକ ଲୋକ ଶିଳାବୃଷ୍ଟିରେ ମଲେ।
12ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ଇମୋରୀୟମାନଙ୍କୁ ସମର୍ପଣ କରିବା ଦିନ ଯିହୋଶୂୟ ସଦାପ୍ରଭୁଙ୍କୁ କହିଲେ; ପୁଣି ସେ ଇସ୍ରାଏଲଙ୍କ ସାକ୍ଷାତରେ କହିଲେ, “ସୂର୍ଯ୍ୟ, ଗିବୀୟୋନ୍ ଉପରେ ତୁମ୍ଭେ ସ୍ତବ୍ଧ ହୁଅ; ଆଉ ଚନ୍ଦ୍ର, ତୁମ୍ଭେ ଅୟାଲୋନ୍ର ତଳଭୂମିରେ (ସ୍ତବ୍ଧ ହୁଅ)।”
13ତହିଁରେ ଲୋକମାନେ ଆପଣା ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ସୂର୍ଯ୍ୟ ସ୍ତବ୍ଧ ହେଲା ଓ ଚନ୍ଦ୍ର ସ୍ଥଗିତ ହେଲା। ଏହା କି ନ୍ୟାୟ ପୁସ୍ତକରେ ଲେଖା ନାହିଁ? ଆଉ ସୂର୍ଯ୍ୟ ଆକାଶର ମଧ୍ୟସ୍ଥାନରେ ସ୍ଥଗିତ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ।
14ଯେଉଁ ଦିନ ସଦାପ୍ରଭୁ ମନୁଷ୍ୟର ରବ ଏରୂପ ଶୁଣିଲେ, ଏଥିପୂର୍ବେ ବା ଏଉତ୍ତାରେ ଏପରି ଦିନ ଆଉ ହୋଇ ନାହିଁ; କାରଣ ସଦାପ୍ରଭୁ ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।
15ଏଉତ୍ତାରେ ଯିହୋଶୂୟ ଓ ତାଙ୍କ ସହିତ ସମୁଦାୟ ଇସ୍ରାଏଲ ଗିଲ୍ଗଲ୍ ଛାଉଣିକୁ ନେଉଟି ଆସିଲେ।