3ଅର୍ଥାତ୍, ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟମାନଙ୍କ ଓ ହିତ୍ତୀୟମାନଙ୍କ ଓ ପରିଷୀୟମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପା ଦେଶୀୟ ହିବ୍ବୀୟମାନଙ୍କ ନିକଟକୁ ଲୋକ ପଠାଇଲେ।
4ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ରତୀରସ୍ଥ ବାଲୁକା ତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ୱ ଓ ରଥ ସଙ୍ଗେ ନେଇ ବାହାର ହେଲେ।
5ପୁଣି ଏସମସ୍ତ ରାଜା ଏକତ୍ର ମିଳିଲେ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ଆସି ମେରୋମ୍ ନାମକ ଜଳାଶୟ ନିକଟରେ ଏକତ୍ର ଛାଉଣି ସ୍ଥାପନ କଲେ।
6ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କ ସମ୍ମୁଖରେ ଭୀତ ନ ହୁଅ; କାରଣ କାଲି ଏହି ସମୟରେ ଆମ୍ଭେ ସେସମସ୍ତଙ୍କୁ ଇସ୍ରାଏଲ ସମ୍ମୁଖରେ ହତ କରି ସମର୍ପଣ କରିବା; ତୁମ୍ଭେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟିବ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କରିବ।”
7ପୁଣି ଯିହୋଶୂୟ ଓ ସମସ୍ତ ଯୋଦ୍ଧା ମେରୋମ୍ ଜଳାଶୟ ନିକଟରେ ହଠାତ୍ ସେମାନଙ୍କ ବିରୁଦ୍ଧରେ ଆସି ସେମାନଙ୍କୁ ଆକ୍ରମଣ କଲେ।