11ପୁଣି ଇଷାଖର ଓ ଆଶେର ମଧ୍ୟରେ ବେଥ୍-ଶାନ ଓ ତହିଁର ଉପନଗର, ଯିବ୍ଲିୟିମ ଓ ତହିଁର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ, ଐନ୍-ଦୋର ଓ ତହିଁର ଉପନଗର ନିବାସୀଗଣ, ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲା।
12ତଥାପି ମନଃଶିର ସନ୍ତାନଗଣ ସେହି ସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ; ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ।
13ଏଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ, କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ, ମାତ୍ର ସମ୍ପୂର୍ଣ୍ଣ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ।
14ଏଉତ୍ତାରେ ଯୋଷେଫ-ସନ୍ତାନଗଣ ଯିହୋଶୂୟଙ୍କ ନିକଟକୁ ଆସି କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁଗୋଷ୍ଠୀ ହୋଇଅଛୁ।”
15ତହିଁରେ ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେ ଯେବେ ବହୁଗୋଷ୍ଠୀ ହୋଇଅଛ ଓ ତହିଁ ସକାଶୁ ଯେବେ ଇଫ୍ରୟିମର ପର୍ବତମୟ ଦେଶ ତୁମ୍ଭ ପାଇଁ ସଂକୀର୍ଣ୍ଣ ହେଉଅଛି, ତେବେ ସେହି ବନକୁ ଉଠିଯାଅ; ଆଉ ସେଠାରେ ପରିଷୀୟ ଓ ରଫାୟୀୟମାନଙ୍କ ଦେଶରେ ଆପଣା ପାଇଁ ବନ କାଟ।”