18ଯେ ଆଜି ତୁମ୍ଭେମାନେ ସଦାପ୍ରଭୁଙ୍କର ଅନୁସରଣରୁ ବିମୁଖ ହେଉଅଛ? ତୁମ୍ଭେମାନେ ଆଜି ସଦାପ୍ରଭୁଙ୍କର ବିଦ୍ରୋହୀ ହେଲେ, ସେ କାଲି ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କ୍ରୋଧ କରିବେ।
19ଯେବେ ତୁମ୍ଭମାନଙ୍କ ଅଧିକାର-ଦେଶ ଅଶୁଚି ହୁଏ, ତେବେ ପାର ହୋଇ ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ, ସଦାପ୍ରଭୁଙ୍କ ସେହି ଅଧିକାର-ଦେଶକୁ ଆସ ଓ ଆମ୍ଭମାନଙ୍କ ମଧ୍ୟରେ ଅଧିକାର ଗ୍ରହଣ କର; ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯଜ୍ଞବେଦି ଛଡ଼ା ଆପଣାମାନଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କର ବିଦ୍ରୋହୀ ନ ହୁଅ, କିଅବା ଆମ୍ଭମାନଙ୍କର ବିଦ୍ରୋହୀ ନ ହୁଅ।
20ସେରହର ପୁତ୍ର ଆଖନ୍ ବର୍ଜିତ ବସ୍ତୁ ବିଷୟରେ ସତ୍ୟ-ଲଙ୍ଘନ କରନ୍ତେ, ଇସ୍ରାଏଲର ସମଗ୍ର ମଣ୍ଡଳୀ ଉପରେ କି କ୍ରୋଧ ପଡ଼ିଲା ନାହିଁ? ଆଉ ସେ ବ୍ୟକ୍ତି ଆପଣା ଅପରାଧରେ ଏକାକୀ ବିନଷ୍ଟ ହେଲା ନାହିଁ?’”
21ତହିଁରେ ରୁବେନ୍-ସନ୍ତାନଗଣ ଓ ଗାଦ୍-ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ ଇସ୍ରାଏଲୀୟ ସହସ୍ର ସହସ୍ରର ପ୍ରଧାନମାନଙ୍କୁ ଉତ୍ତର ଦେଇ କହିଲେ,
22“ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର, ସେ ଜାଣନ୍ତି ଓ ଇସ୍ରାଏଲ ମଧ୍ୟ ଜାଣିବ; ଯେବେ ଏହା ବିଦ୍ରୋହ ଭାବରେ, ଅବା ଯେବେ ସଦାପ୍ରଭୁଙ୍କ ନିକଟରେ ସତ୍ୟ-ଲଙ୍ଘନ ଭାବରେ ହୋଇଥାଏ, ତେବେ ତୁମ୍ଭେ ଆଜି ଆମ୍ଭମାନଙ୍କୁ ରକ୍ଷା ନ କର;