3ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସକାଶୁ ଏହିସବୁ ଦେଶୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ତାହାସବୁ ତୁମ୍ଭେମାନେ ଦେଖିଅଛ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିଅଛନ୍ତି।
4ଦେଖ, ଯର୍ଦ୍ଦନ ଅବଧି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଯେସମସ୍ତ ଦେଶୀୟମାନଙ୍କୁ ମୁଁ ଉଚ୍ଛିନ୍ନ କରିଅଛି, ଆଉ ଯେଉଁ ଦେଶୀୟମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ଦେଶ ଅଧିକାର କରିବାକୁ ମୁଁ ତୁମ୍ଭମାନଙ୍କ ବଂଶାନୁସାରେ ଗୁଲିବାଣ୍ଟ ଦ୍ୱାରା ବିଭାଗ କରି ତୁମ୍ଭମାନଙ୍କୁ ଦେଲି।
5ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପେ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବେ ଓ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରୁ ତଡ଼ି ଦେବେ; ତହିଁରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟାନୁସାରେ ସେମାନଙ୍କ ଦେଶ ଅଧିକାର କରିବ।
6ଏନିମନ୍ତେ ତୁମ୍ଭେମାନେ ମୋଶାଙ୍କର ବ୍ୟବସ୍ଥା ଗ୍ରନ୍ଥରେ ଲିଖିତ ସମସ୍ତ କଥା ମାନିବାକୁ ଓ କରିବାକୁ ସାହସିକ ହୁଅ, ତହିଁର ଦକ୍ଷିଣରେ କି ବାମରେ ନ ଫେର;
7ପୁଣି ସେହି ଗୋଷ୍ଠୀୟମାନଙ୍କର ଯେ ଅବଶିଷ୍ଟ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରବେଶ ନ କର; କି ସେମାନଙ୍କ ଦେବତାମାନଙ୍କ ନାମ ଉଚ୍ଚାରଣ ନ କର, କି ସେମାନଙ୍କ ନାମରେ ଶପଥ ନ କରାଅ, କି ସେମାନଙ୍କ ସେବା ନ କର, କିଅବା ସେମାନଙ୍କୁ ପ୍ରଣାମ ନ କର।