7ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆମ୍ଭେ ଆଜି ଦିନ ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବା, ତହିଁରେ ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେହିପରି ତୁମ୍ଭ ସଙ୍ଗରେ ହେବା, ଏହା ସେମାନେ ଜ୍ଞାତ ହେବେ।
8ଏନିମନ୍ତେ ତୁମ୍ଭେ ନିୟମ-ସିନ୍ଦୁକବାହକ ଯାଜକମାନଙ୍କୁ ଆଜ୍ଞା ଦେଇ କୁହ, ‘ତୁମ୍ଭେମାନେ ଯର୍ଦ୍ଦନ ଜଳଧାରରେ ଉପସ୍ଥିତ ହେଲେ, ସେଠାରେ ଯର୍ଦ୍ଦନ ତୀରରେ ଠିଆ ହୋଇ ରହିବ।’”
9ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନକୁ ଆସି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଶୁଣ।
10ଯିହୋଶୂୟ ଆହୁରି କହିଲେ, ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ପୁଣି କିଣାନୀୟ ଓ ହିତ୍ତୀୟ ଓ ହିବ୍ବୀୟ ଓ ପରିଷୀୟ ଓ ଗିର୍ଗାଶୀୟ ଓ ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ଯେ ତୁମ୍ଭମାନଙ୍କ ସମ୍ମୁଖରୁ ନିତାନ୍ତ ତଡ଼ି ଦେବେ, ତାହା ତୁମ୍ଭେମାନେ ଏହା ଦ୍ୱାରା ଜାଣି ପାରିବ।
11ଦେଖ, ସମଗ୍ର ଜଗତର ପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ଯାଉଅଛି।