13ଉଠ, ଲୋକମାନଙ୍କୁ ପବିତ୍ର କର, ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇ ପାରିବ ନାହିଁ।
14ଏନିମନ୍ତେ ତୁମ୍ଭେମାନେ ପ୍ରାତଃକାଳରେ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଯିବ; ତହିଁରେ ସଦାପ୍ରଭୁ ଯେଉଁ ବଂଶ ନିର୍ଣ୍ଣୟ କରିବେ, ସେହି ବଂଶର ଏକ ଏକ ଗୋଷ୍ଠୀ ନିକଟକୁ ଆସିବେ ଓ ସଦାପ୍ରଭୁ ଯେଉଁ ଗୋଷ୍ଠୀ ନିର୍ଣ୍ଣୟ କରିବେ, ସେହି ଗୋଷ୍ଠୀର ଏକ ଏକ ପରିବାର ନିକଟକୁ ଆସିବେ; ପୁଣି ସଦାପ୍ରଭୁ ଯେଉଁ ପରିବାର ନିର୍ଣ୍ଣୟ କରିବେ, ସେହି ପରିବାରର ଏକ ଏକ ପୁରୁଷ ନିକଟକୁ ଆସିବେ।
15ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ, ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ; ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୂଢ଼ତାର କର୍ମ କଲା।”
16ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠି ଇସ୍ରାଏଲକୁ ଆପଣା ଆପଣା ବଂଶାନୁସାରେ ନିକଟକୁ ଅଣାଇଲେ; ତହିଁରେ ଯିହୁଦା ବଂଶ ନିର୍ଣ୍ଣୀତ ହେଲା।
17ତହୁଁ ସେ ଯିହୁଦା ଗୋଷ୍ଠୀକୁ ନିକଟକୁ ଅଣାନ୍ତେ, ସେରହର ଗୋଷ୍ଠୀ ନିର୍ଣ୍ଣୀତ ହେଲା; ତହୁଁ ସେ ସେରହ ଗୋଷ୍ଠୀର ଏକ ଏକ ପୁରୁଷ ନିକଟକୁ ଅଣାନ୍ତେ, ସବ୍ଦି ନିର୍ଣ୍ଣୀତ ହେଲା।