12ପୁଣି ସେ ନ୍ୟୂନାଧିକ ପାଞ୍ଚ ହଜାର ଲୋକ ନେଇ ନଗରର ପଶ୍ଚିମ ଦିଗରେ ବେଥେଲ୍ ଓ ଅୟର ମଧ୍ୟସ୍ଥାନରେ ଗୋପନରେ ରଖିଲେ।
13ଏହିରୂପେ ସେମାନେ ନଗରର ଉତ୍ତର ଦିଗସ୍ଥ ସମସ୍ତ ଛାଉଣିକୁ ଓ ନଗରର ପଶ୍ଚିମ ଦିଗସ୍ଥ ଆପଣାମାନଙ୍କ ଗୁପ୍ତ ଦଳକୁ ରଖିଲେ; ପୁଣି ଯିହୋଶୂୟ ସେହି ରାତ୍ରି ତଳଭୂମି ମଧ୍ୟକୁ ଗମନ କଲେ।
14ସେତେବେଳେ ଅୟର ରାଜା ତାହା ଦେଖନ୍ତେ, ସେ ଓ ତାଙ୍କର ସମସ୍ତ ଲୋକ ପ୍ରଭାତରେ ଶୀଘ୍ର ଉଠିଲେ ଓ ନଗରସ୍ଥ ଲୋକମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ବାହାରି ନିରୂପିତ ସମୟରେ ପଦାଭୂମି ସମ୍ମୁଖରେ ଉପସ୍ଥିତ ହେଲେ; ମାତ୍ର ତାଙ୍କ ବିରୁଦ୍ଧରେ ଏକ ଦଳ ସୈନ୍ୟ ନଗର ପଛେ ଗୋପନରେ ଅଛନ୍ତି ବୋଲି ସେ ଜାଣି ନ ଥିଲେ।
15ଏଉତ୍ତାରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେମାନଙ୍କ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ହେଲା ପରି ଦେଖାଇ ପ୍ରାନ୍ତର-ପଥ ଦେଇ ପଳାୟନ କଲେ।
16ତହିଁରେ ନଗରସ୍ଥିତ ସମସ୍ତ ଲୋକ ସେମାନଙ୍କ ପଛେ ପଛେ ଗୋଡ଼ାଇବା ପାଇଁ ଏକତ୍ର ଡକାଗଲେ; ପୁଣି ସେମାନେ ଯିହୋଶୂୟଙ୍କର ପଛେ ପଛେ ଗୋଡ଼ାଉ ଗୋଡ଼ାଉ ନଗରରୁ ଦୂରକୁ ଆକର୍ଷିତ ହେଲେ।