29ଏଉତ୍ତାରେ ସେ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ବୃକ୍ଷରେ ଟଙ୍ଗାଇ ରଖିଲେ, ମାତ୍ର ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କର ଶବ ବୃକ୍ଷରୁ ତଳକୁ ଆଣି ନଗରଦ୍ୱାର-ପ୍ରବେଶ ସ୍ଥାନରେ ପକାଇ; ତହିଁ ଉପରେ ପ୍ରସ୍ତରର ଏକ ବଡ଼ ଢିପି କଲେ; ତାହା ଆଜିଯାଏ ଅଛି।
30ଏଉତ୍ତାରେ ଯିହୋଶୂୟ ଏବଲ ପର୍ବତରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ।
31ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ-ସନ୍ତାନଗଣକୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶାଙ୍କର ବ୍ୟବସ୍ଥା-ଗ୍ରନ୍ଥର ଲେଖାନୁସାରେ, ଯହିଁ ଉପରେ କୌଣସି ମନୁଷ୍ୟ ଲୁହା ଉଞ୍ଚାଇ ନାହିଁ, ଏପରି ଅଚଞ୍ଛା ପଥରର ଏକ ଯଜ୍ଞବେଦି ସେ ନିର୍ମାଣ କଲେ; ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
32ପୁଣି ସେ ସେହି ପ୍ରସ୍ତର ଉପରେ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ମୋଶାଙ୍କ ଦ୍ୱାରା ଲିଖିତ ବ୍ୟବସ୍ଥା-ଗ୍ରନ୍ଥର ଅଂଶ ଉତ୍ତାରି ଲେଖିଲେ।
33ଏଉତ୍ତାରେ ସମୁଦାୟ ଇସ୍ରାଏଲ ଓ ସେମାନଙ୍କ ପ୍ରାଚୀନବର୍ଗ ଓ ଅଧ୍ୟକ୍ଷଗଣ ଓ ସେମାନଙ୍କ ବିଚାରକର୍ତ୍ତୃଗଣ, ଯେପରି ବିଦେଶୀ, ସେପରି ଗୃହଜାତ, ଅଧେ ଗରିଷୀମ ପର୍ବତ ଆଗରେ ଓ ଅଧେ ଏବଲ ପର୍ବତ ଆଗରେ, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସିନ୍ଦୁକର ଏପାଖେ ଓ ସେପାଖେ ଠିଆ ହେଲେ; କାରଣ ପ୍ରଥମେ ଇସ୍ରାଏଲୀୟ ଲୋକମାନଙ୍କୁ ଆଶୀର୍ବାଦ କରିବା ପାଇଁ ସଦାପ୍ରଭୁଙ୍କ ସେବକ ମୋଶା ସେମାନଙ୍କୁ ଆଦେଶ ଦେଇଥିଲେ।