3ତହିଁରେ ଯିହୁଦା ଆପଣା ଭ୍ରାତା ଶିମୀୟୋନକୁ କହିଲା, “ଗୁଲିବାଣ୍ଟ କ୍ରମେ ନିରୂପିତ ଆମ୍ଭ ଭାଗକୁ ଆସ, ଆମ୍ଭେମାନେ କିଣାନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା; ପୁଣି ଆମ୍ଭେ ମଧ୍ୟ ତୁମ୍ଭ ସଙ୍ଗେ ତୁମ୍ଭ ଭାଗକୁ ଯିବା।” ତହିଁରେ ଶିମୀୟୋନ ତାହା ସଙ୍ଗେ ଗଲା।
4ଏଥିଉତ୍ତାରେ ଯିହୁଦା ଯାତ୍ରା କଲା; ପୁଣି ସଦାପ୍ରଭୁ ସେମାନଙ୍କ ହସ୍ତରେ କିଣାନୀୟ ଓ ପରିଷୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ବେଷକରେ ସେମାନଙ୍କର ଦଶ ହଜାର ଲୋକଙ୍କୁ ବଧ କଲେ।
5ପୁଣି ସେମାନେ ବେଷକରେ ଅଦୋନୀବେଷକ୍ ରାଜାଙ୍କୁ ପାଇ ତାହା ସଙ୍ଗେ ଯୁଦ୍ଧ କରି କିଣାନୀୟ ଓ ପରିଷୀୟମାନଙ୍କୁ ବଧ କଲେ।
6ମାତ୍ର ଅଦୋନୀବେଷକ୍ ପଳାଇଗଲା; ତହୁଁ ସେମାନେ ତାହା ପଛେ ଗୋଡ଼ାଇ ତାକୁ ଧରିଲେ ଏବଂ ତାହାର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛେଦନ କଲେ।
7ଏଥିରେ ଅଦୋନୀବେଷକ୍ କହିଲା, “ସତୁରି ଜଣ ରାଜା ଯାହାଙ୍କର ହସ୍ତ ଓ ପାଦର ବୃଦ୍ଧାଙ୍ଗୁଳି ଛିନ୍ନ କରାଯାଇଥିଲା, ସେମାନେ ଆମ୍ଭ ମେଜ ତଳେ ଆପଣାମାନଙ୍କ ଆହାର ସାଉଣ୍ଟୁ ଥିଲେ; ମୁଁ ଯେପରି କଲି, ପରମେଶ୍ୱର ସେପରି ମୋତେ ପ୍ରତିଫଳ ଦେଲେ।” ପୁଣି, ଲୋକମାନେ ତାକୁ ଯିରୂଶାଲମକୁ ଆଣିଲେ ଓ ସେ ସେଠାରେ ମଲା।