11ଏଥିରେ ଯିହୁଦାର ତିନି ହଜାର ଲୋକ ଐଟମ୍ ଶୈଳର ସୁଡ଼ଙ୍ଗକୁ ଯାଇ ଶାମ୍ଶୋନ୍କୁ କହିଲେ, “ପଲେଷ୍ଟୀୟମାନେ ଯେ ଆମ୍ଭମାନଙ୍କ କର୍ତ୍ତା ଅଟନ୍ତି, ଏହା କି ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କର୍ମ କଲ?” ପୁଣି ସେ ସେମାନଙ୍କୁ କହିଲା, “ସେମାନେ ମୋʼ ପ୍ରତି ଯେପରି କଲେ, ମୁଁ ସେପରି ସେମାନଙ୍କୁ କଲି।”
12ତହିଁରେ ସେମାନେ ତାହାକୁ କହିଲେ, “ପଲେଷ୍ଟୀୟମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା ପାଇଁ ଆମ୍ଭେମାନେ ତୁମ୍ଭକୁ ବାନ୍ଧିବାକୁ ଆସିଅଛୁ।” ତହୁଁ ଶାମ୍ଶୋନ୍ ସେମାନଙ୍କୁ କହିଲା, “ତୁମ୍ଭେମାନେ ନିଜେ ମୋତେ ଆକ୍ରମଣ ନ କରିବ ବୋଲି ଶପଥ କର।”
13ପୁଣି ସେମାନେ ତାହାକୁ କହିଲେ, “ନା; କିନ୍ତୁ ଆମ୍ଭେମାନେ ତୁମ୍ଭକୁ ଦୃଢ଼ ରୂପେ ବାନ୍ଧି ସେମାନଙ୍କ ହସ୍ତରେ ସମର୍ପଣ କରିବୁ; ମାତ୍ର ଆମ୍ଭେମାନେ କେବେ ତୁମ୍ଭକୁ ବଧ କରିବୁ ନାହିଁ।” ତହୁଁ ସେମାନେ ତାହାକୁ ଦୁଇ ନୂଆ ଦଉଡ଼ିରେ ବାନ୍ଧି ଶୈଳ ଉପରୁ ତାହାକୁ ଆଣିଲେ।
14ସେ ଲିହୀରେ ଉପସ୍ଥିତ ହୁଅନ୍ତେ, ପଲେଷ୍ଟୀୟମାନେ ତାହାକୁ ଭେଟି ଜୟଧ୍ୱନି କଲେ; ତହୁଁ ସଦାପ୍ରଭୁଙ୍କ ଆତ୍ମା ଶକ୍ତିର ସହ ଶାମ୍ଶୋନ୍ ଉପରେ ଆସିବା କ୍ଷଣି, ତହିଁରେ ତାହାର ବାହୁରେ ଥିବା ଦଉଡ଼ି ଅଗ୍ନିଦଗ୍ଧ ଛଣପଟ ପରି ହେଲା, ଆଉ ତାହା ହାତରୁ ବନ୍ଧନ ଖସି ପଡ଼ିଲା।
15ସେତେବେଳେ ସେ ଗର୍ଦ୍ଦଭର ଗୋଟିଏ କଞ୍ଚା ଥୋମଣି ପାଇ ହାତ ବଢ଼ାଇ ତାହା ନେଲା ଓ ତଦ୍ଦ୍ୱାରା ଏକ ହଜାର ଲୋକଙ୍କୁ ବଧ କଲା।