10ପୁଣି ସେହି ପିଢ଼ିର ସମସ୍ତ ଲୋକେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେଲେ; ସେମାନଙ୍କ ପରେ ଯେଉଁ ପିଢ଼ିର ଲୋକମାନେ ସଦାପ୍ରଭୁଙ୍କୁ ଜାଣି ନ ଥିଲେ, କି ଇସ୍ରାଏଲ ପକ୍ଷରେ ସଦାପ୍ରଭୁଙ୍କର କୃତ କର୍ମ ଦେଖି ନ ଥିଲେ, ଏପରି ଲୋକେ ସେମାନଙ୍କ ଉତ୍ତାରେ ଉଠିଲେ।
11ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କର ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ବାଲ୍ ଦେବତାଗଣର ସେବା କଲେ।
12ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣାମାନଙ୍କ ପୈତୃକ ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର, ଅର୍ଥାତ୍, ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ; ଏରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ।
13ଆହୁରି ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବାଲ୍ଦେବ ଓ ଅଷ୍ଟାରୋତ୍ ଦେବୀଗଣର ସେବା କଲେ।
14ତହିଁରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ସେମାନଙ୍କୁ ଲୁଟକାରୀମାନଙ୍କ ହସ୍ତରେ ସମର୍ପିଲେ, ତେଣୁ ସେମାନେ ସେମାନଙ୍କୁ ଲୁଟିଲେ; ଆହୁରି ସେ ସେମାନଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରେ ବିକ୍ରୟ କଲେ, ତହିଁରେ ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଆଉ ଠିଆ ହୋଇ ପାରିଲେ ନାହିଁ।