12ପୁଣି ଯେ ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ସେହି ସଦାପ୍ରଭୁ ଆପଣାମାନଙ୍କ ପୈତୃକ ପରମେଶ୍ୱରଙ୍କୁ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣର, ଅର୍ଥାତ୍, ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକମାନଙ୍କ ଦେବତାଗଣର ଅନୁଗାମୀ ହୋଇ ସେମାନଙ୍କୁ ପ୍ରଣାମ କଲେ; ଏରୂପେ ସେମାନେ ସଦାପ୍ରଭୁଙ୍କୁ ବିରକ୍ତ କଲେ।
13ଆହୁରି ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ବାଲ୍ଦେବ ଓ ଅଷ୍ଟାରୋତ୍ ଦେବୀଗଣର ସେବା କଲେ।
14ତହିଁରେ ଇସ୍ରାଏଲ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ସେମାନଙ୍କୁ ଲୁଟକାରୀମାନଙ୍କ ହସ୍ତରେ ସମର୍ପିଲେ, ତେଣୁ ସେମାନେ ସେମାନଙ୍କୁ ଲୁଟିଲେ; ଆହୁରି ସେ ସେମାନଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ଶତ୍ରୁମାନଙ୍କ ହସ୍ତରେ ବିକ୍ରୟ କଲେ, ତହିଁରେ ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଆଉ ଠିଆ ହୋଇ ପାରିଲେ ନାହିଁ।
15ସଦାପ୍ରଭୁ ଯେପରି କହିଥିଲେ ଓ ସଦାପ୍ରଭୁ ସେମାନଙ୍କ ନିକଟରେ ଯେପରି ଶପଥ କରିଥିଲେ, ତଦନୁସାରେ ସେମାନେ ଯେଉଁଆଡ଼େ ଗଲେ, ସେଆଡ଼େ ଅମଙ୍ଗଳ କରିବାକୁ ସଦାପ୍ରଭୁଙ୍କ ହସ୍ତ ସେମାନଙ୍କର ବିରୁଦ୍ଧ ହେଲା; ଏହିପରି ସେମାନେ ଭାରୀ କ୍ଳେଶରେ ପଡ଼ିଲେ।
16ତହୁଁ ସଦାପ୍ରଭୁ ବିଚାରକର୍ତ୍ତାଗଣଙ୍କୁ ଉତ୍ଥାପନ କରି ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।