16ମାତ୍ର ବାରକ୍ ଅନ୍ୟ ଦେଶୀୟମାନଙ୍କ ହରୋଶୋତ୍ ପର୍ଯ୍ୟନ୍ତ ସମସ୍ତ ରଥ ଓ ସୈନ୍ୟ ପଛେ ପଛେ ଗୋଡ଼ାଇଲା; ତହିଁରେ ସୀଷରାର ସମସ୍ତ ସୈନ୍ୟ ଖଡ୍ଗଧାରରେ ପତିତ ହେଲେ; ଜଣେ ହେଁ ଅବଶିଷ୍ଟ ରହିଲା ନାହିଁ।
17ତଥାପି ସୀଷରା ପାଦଗତିରେ ପଳାଇ ସେହି କେନୀୟ ହେବରର ଭାର୍ଯ୍ୟା ଯାୟେଲର ତମ୍ବୁ ଆଡ଼କୁ ଗଲା; କାରଣ ସେସମୟରେ ହାସୋରର ରାଜା ଯାବୀନ୍ ଓ କେନୀୟ ହେବର-ବଂଶ ମଧ୍ୟରେ ଶାନ୍ତିଚୁକ୍ତି ଥିଲା।
18ଏଥିରେ ଯାୟେଲ ସୀଷରାକୁ ଭେଟିବାକୁ ବାହାରେ ଯାଇ ତାହାକୁ କହିଲା, “ହେ ମୋହର ପ୍ରଭୋ, ଭିତରକୁ ଆସନ୍ତୁ, ମୋହର ନିକଟକୁ ଆସନ୍ତୁ, ଭୟ ନ କରନ୍ତୁ;” ତହିଁରେ ସେ ତାହା ଆଡ଼କୁ ଫେରି ତମ୍ବୁ ଭିତରକୁ ଯାଆନ୍ତେ, ସେ ଏକ କମ୍ବଳରେ ତାହାକୁ ଘୋଡ଼ାଇ ରଖିଲା;
19ସେତେବେଳେ ସୀଷରା ତାହାକୁ କହିଲା, “ମୋତେ ଟିକିଏ ଜଳ ପିଆଅନା;” ମୁଁ ତୃଷିତ ଅଟେ। ତହିଁରେ ସେ ଦୁଗ୍ଧକୁମ୍ପା ଫିଟାଇ ପାନ କରିବାକୁ ଦେଇ ତାକୁ ଘୋଡ଼ାଇ ରଖିଲା।
20ଏଉତ୍ତାରେ ସୀଷରା ତାହାକୁ କହିଲା, “ତୁମ୍ଭେ ତମ୍ବୁ ଦ୍ୱାରରେ ଛିଡ଼ା ହୋଇଥାଅ, ଯେବେ କେହି ଆସି ତୁମ୍ଭକୁ ପଚାରି କହେ, ‘ଏଠାରେ କୌଣସି ମନୁଷ୍ୟ ଅଛି କି?’ ତେବେ ତୁମ୍ଭେ କହିବ, ‘କେହି ନାହିଁ।’”