12ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ ଦର୍ଶନ ଦେଇ କହିଲେ, “ହେ ମହାବିକ୍ରମଶାଳୀ ଲୋକ, ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି।”
13ଏଥିରେ ଗିଦିୟୋନ୍ ତାହାଙ୍କୁ କହିଲେ, ହେ ମୋହର ପ୍ରଭୋ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି, ତେବେ ଆମ୍ଭମାନଙ୍କ ପ୍ରତି ଏହିସବୁ ଘଟିଅଛି କାହିଁକି? ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ କି ମିସରରୁ ଆଣି ନାହାନ୍ତି, ଏହା କହି ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଆମ୍ଭମାନଙ୍କ ଆଗରେ ତାହାଙ୍କର ଯେସବୁ ଆଶ୍ଚର୍ଯ୍ୟକ୍ରିୟାର କୀର୍ତ୍ତନ କରିଥିଲେ, ସେସବୁ କାହିଁ? ମାତ୍ର ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି ଓ ଆମ୍ଭମାନଙ୍କୁ ମିଦୀୟନର ହସ୍ତରେ ସମର୍ପଣ କରିଅଛନ୍ତି।
14ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, “ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦୀୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର; ଆମ୍ଭେ କି ତୁମ୍ଭକୁ ପଠାଇ ନାହୁଁ?”
15ତହୁଁ ସେ ତାହାଙ୍କୁ କହିଲେ, “ହେ ପ୍ରଭୋ, ମୁଁ କାହିଁରେ ଇସ୍ରାଏଲକୁ ଉଦ୍ଧାର କରିବି? ଦେଖ, ମନଃଶି (ବଂଶ) ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋʼ ପିତୃଗୃହ ମଧ୍ୟରେ ମୁଁ ସବୁଠୁଁ କନିଷ୍ଠ।”
16ତେବେ ସଦାପ୍ରଭୁ ତାହାକୁ କହିଲେ, “ଆମ୍ଭେ ନିଶ୍ଚୟ ତୁମ୍ଭ ସଙ୍ଗେ ହେବା, ତହିଁରେ ତୁମ୍ଭେ ମିଦୀୟନୀୟମାନଙ୍କୁ ଏପରି ସଂହାର କରିବ ଯେପରି ଏକ ଜଣକୁ ସଂହାର କରୁଅଛ।”