18ବିନୟ କରୁଅଛି, ମୁଁ ଆପଣା ଭେଟି ଘେନିଆସି ଆପଣଙ୍କ ସମ୍ମୁଖରେ ଥୋଇବା ପର୍ଯ୍ୟନ୍ତ ଏ ସ୍ଥାନରୁ ପ୍ରସ୍ଥାନ କରନ୍ତୁ ନାହିଁ।” ତହିଁରେ ସେ କହିଲେ, “ତୁମ୍ଭେ ଫେରି ଆସିବା ଯାଏ ଆମ୍ଭେ ରହିବା।”
19ତହୁଁ ଗିଦିୟୋନ୍ ଭିତରକୁ ଯାଇ ଏକ ଛେଳିଛୁଆ ଓ ଏକ ଐଫା ମଇଦାର ତାଡ଼ିଶୂନ୍ୟ ପିଠା ପ୍ରସ୍ତୁତ କଲେ; ମାଂସ ଗୋଟିଏ ଡାଲାରେ ଓ ଝୋଳ ଗୋଟିଏ କହ୍ରାଇରେ ରଖି ବାହାରେ ତାହାଙ୍କ ନିକଟକୁ ଆଣି ଅଲୋନ ବୃକ୍ଷ ମୂଳେ ଥୋଇଲେ।
20ତହୁଁ ପରମେଶ୍ୱରଙ୍କ ଦୂତ ତାଙ୍କୁ କହିଲେ, “ଏହି ମାଂସ ଓ ତାଡ଼ିଶୂନ୍ୟ ପିଠାସବୁ ନେଇ ଏହି ଶୈଳ ଉପରେ ରଖ ଓ ତହିଁ ଉପରେ ଝୋଳ ଢାଳ;” ତହୁଁ ସେ ସେପରି କଲେ।
21ତେବେ ସଦାପ୍ରଭୁଙ୍କ ଦୂତ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ର ବଢ଼ାଇ ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ସ୍ପର୍ଶ କଲେ; ଏଥିରେ ସେହି ଶୈଳରୁ ଅଗ୍ନି ବାହାରି ସେହି ମାଂସ ଓ ତାଡ଼ିଶୂନ୍ୟ ପିଠା ଦଗ୍ଧ କଲା; ତହୁଁ ସଦାପ୍ରଭୁଙ୍କ ଦୂତ ତାହାର ଦୃଷ୍ଟିଗୋଚରରୁ ପ୍ରସ୍ଥାନ କଲେ।
22ତହିଁରେ ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ଗିଦିୟୋନ୍ ବୁଝିଲେ; ପୁଣି ଗିଦିୟୋନ୍ କହିଲେ, “ହାୟ ହାୟ! ହେ ପ୍ରଭୋ ସଦାପ୍ରଭୋ, ମୁଁ ସମ୍ମୁଖାସମ୍ମୁଖୀ ହୋଇ ସଦାପ୍ରଭୁଙ୍କ ଦୂତଙ୍କୁ ଦେଖିଲି।”