13ପୁଣି ଗିଦିୟୋନ୍ ଉପସ୍ଥିତ ହେଲା ବେଳେ, “ଦେଖ, ଜଣେ ଲୋକ ଆପଣା ସଙ୍ଗୀକୁ ଗୋଟିଏ ସ୍ୱପ୍ନ ଜଣାଇ କହିଲା, ଦେଖ, ମୁଁ ସ୍ୱପ୍ନ ଦେଖିଲି ଯେ, ଏକ ଯବ ରୁଟି ମିଦୀୟନୀୟ ଛାଉଣି ଆଡ଼କୁ ଗଡ଼ି ତମ୍ବୁକୁ ଆସି ଆଘାତ କରନ୍ତେ, ତାହା ପଡ଼ିଗଲା; ପୁଣି ତାକୁ ଓଲଟାଇ ପକାନ୍ତେ, ସେହି ତମ୍ବୁ ଶୋଇ ପଡ଼ିଲା।”
14ତହୁଁ ତାହାର ସଙ୍ଗୀ ଉତ୍ତର କରି କହିଲା, “ଏହା ଇସ୍ରାଏଲୀୟ ଯୋୟାଶ୍ର ପୁତ୍ର ଗିଦିୟୋନ୍ଙ୍କର ଖଡ୍ଗ ଛଡ଼ା ଆଉ କିଛି ନୁହେଁ; ପରମେଶ୍ୱର ମିଦୀୟନକୁ ଓ ସମୁଦାୟ ସୈନ୍ୟଦଳକୁ ତାହା ହସ୍ତରେ ସମର୍ପଣ କରିଅଛନ୍ତି।”
15ସେତେବେଳେ ଗିଦିୟୋନ୍ ସେହି ସ୍ୱପ୍ନର କଥା ଓ ତହିଁର ଅର୍ଥ ଶୁଣି ପ୍ରଣାମ କଲେ; ପୁଣି ସେ ଇସ୍ରାଏଲ ଛାଉଣିକୁ ଫେରିଆସି କହିଲେ, “ଉଠ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦୀୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।”
16ତହୁଁ ସେ ସେହି ତିନି ଶହ ଲୋକଙ୍କୁ ତିନି ଦଳରେ ବିଭାଗ କରି ସେସମସ୍ତଙ୍କ ହସ୍ତରେ ତୂରୀ ଓ ଶୂନ୍ୟ କଳସ ଓ କଳସ ମଧ୍ୟରେ ଦିହୁଡ଼ି ଦେଲେ।
17ଆଉ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋʼ ପ୍ରତି ଦୃଷ୍ଟି ରଖି ମୋʼ ପରି କର୍ମ କର; ପୁଣି ମୁଁ ଛାଉଣି ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ ଯେରୂପ କରିବି, ତୁମ୍ଭେମାନେ ମଧ୍ୟ ସେରୂପ କରିବ।