1ଏଥିଉତ୍ତାରେ ଯିରୁବ୍ବାଲ୍, ଅର୍ଥାତ୍, ଗିଦିୟୋନ୍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା।
2ଏଥିଉତ୍ତାରେ ସଦାପ୍ରଭୁ ଗିଦିୟୋନ୍ଙ୍କୁ କହିଲେ, “ତୁମ୍ଭ ସଙ୍ଗୀ ଲୋକମାନେ ଏତେ ଅଧିକ ଯେ, ଆମ୍ଭେ ମିଦୀୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରି ନ ପାରୁ; କଲେ, ଆମ୍ଭ ନିଜ ହସ୍ତ ଆମ୍ଭକୁ ଉଦ୍ଧାର କରିଅଛି, ଏହା କହି ଇସ୍ରାଏଲ ଅବା ଆମ୍ଭ ବିରୁଦ୍ଧରେ ଦର୍ପ କରିବ।
3ଏଣୁ ଏବେ ଏହା କର, ‘ଯେକେହି ଭୟାର୍ତ୍ତ ଓ କମ୍ପିତ, ସେ ଫେରି ଗିଲୀୟଦ ପର୍ବତରୁ ଚାଲିଯାଉ, ଏହା କହି ଲୋକମାନଙ୍କ କର୍ଣ୍ଣରେ ଘୋଷଣା କର।’” ତହିଁରେ ଲୋକମାନଙ୍କ ମଧ୍ୟରୁ ବାଇଶ ହଜାର ଲୋକ ଫେରିଗଲେ ଓ ଦଶ ହଜାର ଲୋକ ରହିଲେ।
4ତହୁଁ ସଦାପ୍ରଭୁ ଗିଦିୟୋନ୍ଙ୍କୁ କହିଲେ, “ତଥାପି ବହୁତ ଲୋକ ଅଛନ୍ତି; ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା; ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ,’ ସେ ତୁମ୍ଭ ସଙ୍ଗରେ ଯିବ; ପୁଣି ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିବା, ‘ଏ ତୁମ୍ଭ ସଙ୍ଗରେ ଯିବ ନାହିଁ,’ ସେ ଯିବ ନାହିଁ।”