14ତୁମ୍ଭର ଭବିଷ୍ୟଦ୍ବକ୍ତାମାନେ ତୁମ୍ଭ ନିମନ୍ତେ ଅସାରତା ଓ ମୂର୍ଖତାର ଦର୍ଶନ ପାଇଅଛନ୍ତି; ଆଉ, ତୁମ୍ଭର ବନ୍ଦୀତ୍ୱର ମୋଚନ ନିମନ୍ତେ ସେମାନେ ତୁମ୍ଭର ଅଧର୍ମ ପ୍ରକାଶ କରି ନାହାନ୍ତି, ମାତ୍ର ଅସାର ଦର୍ଶନ ଓ ତୁମ୍ଭ ନିର୍ବାସିତ ହେବାର କାରଣ ଦେଖି ପ୍ରଚାର କରିଅଛନ୍ତି।
15ପଥିକମାନେ ତୁମ୍ଭ ପ୍ରତି ହାତତାଳି ଦିଅନ୍ତି; ସେମାନେ ଶୀସ୍ ଶବ୍ଦ କରି ଓ ଯିରୂଶାଲମର କନ୍ୟାଆଡ଼େ ମସ୍ତକ ହଲାଇ କୁହନ୍ତି, ଯେଉଁ ନଗରକୁ ଲୋକେ ସୌନ୍ଦର୍ଯ୍ୟର ସିଦ୍ଧି ଓ ସମୁଦାୟ ପୃଥିବୀର ଆନନ୍ଦ ସ୍ୱରୂପ ବୋଲି କହିଲେ, ତାହା କି ଏହି?
16ତୁମ୍ଭର ଶତ୍ରୁ ସକଳ ତୁମ୍ଭ ବିରୁଦ୍ଧରେ ଆପଣା ଆପଣା ମୁଖ ମେଲାଇ ପରିହାସ କରନ୍ତି; ସେମାନେ ଶୀସ୍ ଦିଅନ୍ତି ଓ ଦନ୍ତ କଡ଼ମଡ଼ କରନ୍ତି; ସେମାନେ କହନ୍ତି, ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ; ଆମ୍ଭେମାନେ ଯେଉଁ ଦିନର ଅପେକ୍ଷା କଲୁ, ଏ ଅବଶ୍ୟ ସେହି ଦିନ; ଆମ୍ଭେମାନେ ତାହା ପାଇଅଛୁ, ଆମ୍ଭେମାନେ ତାହା ଦେଖିଅଛୁ।
17ସଦାପ୍ରଭୁ ଯାହା ସଂକଳ୍ପ କଲେ, ତାହା ସିଦ୍ଧ କରିଅଛନ୍ତି, ସେ ପୁରାତନ କାଳରେ ଯାହା ଆଜ୍ଞା କରିଥିଲେ, ଆପଣାର ସେହି ବାକ୍ୟ ସଫଳ କରିଅଛନ୍ତି; ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି; ଆଉ, ସେ ଶତ୍ରୁକୁ ତୁମ୍ଭ ଉପରେ ଆନନ୍ଦ କରିବାକୁ ଦେଇଅଛନ୍ତି, ସେ ତୁମ୍ଭ ବିପକ୍ଷଗଣର ଶୃଙ୍ଗ ଉନ୍ନତ କରିଅଛନ୍ତି।
18ଲୋକମାନଙ୍କର ହୃଦୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା; ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସ୍ରୋତ ପରି ବୁହାଅ; ତୁମ୍ଭେ ଆପଣାକୁ କିଛି ବିଶ୍ରାମ ଦିଅ ନାହିଁ; ତୁମ୍ଭ ଚକ୍ଷୁର ତାରା ଶାନ୍ତ ନ ହେଉ।