16ତୁମ୍ଭର ଶତ୍ରୁ ସକଳ ତୁମ୍ଭ ବିରୁଦ୍ଧରେ ଆପଣା ଆପଣା ମୁଖ ମେଲାଇ ପରିହାସ କରନ୍ତି; ସେମାନେ ଶୀସ୍ ଦିଅନ୍ତି ଓ ଦନ୍ତ କଡ଼ମଡ଼ କରନ୍ତି; ସେମାନେ କହନ୍ତି, ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ; ଆମ୍ଭେମାନେ ଯେଉଁ ଦିନର ଅପେକ୍ଷା କଲୁ, ଏ ଅବଶ୍ୟ ସେହି ଦିନ; ଆମ୍ଭେମାନେ ତାହା ପାଇଅଛୁ, ଆମ୍ଭେମାନେ ତାହା ଦେଖିଅଛୁ।
17ସଦାପ୍ରଭୁ ଯାହା ସଂକଳ୍ପ କଲେ, ତାହା ସିଦ୍ଧ କରିଅଛନ୍ତି, ସେ ପୁରାତନ କାଳରେ ଯାହା ଆଜ୍ଞା କରିଥିଲେ, ଆପଣାର ସେହି ବାକ୍ୟ ସଫଳ କରିଅଛନ୍ତି; ସେ ନିପାତ କରିଅଛନ୍ତି ଓ ଦୟା କରି ନାହାନ୍ତି; ଆଉ, ସେ ଶତ୍ରୁକୁ ତୁମ୍ଭ ଉପରେ ଆନନ୍ଦ କରିବାକୁ ଦେଇଅଛନ୍ତି, ସେ ତୁମ୍ଭ ବିପକ୍ଷଗଣର ଶୃଙ୍ଗ ଉନ୍ନତ କରିଅଛନ୍ତି।
18ଲୋକମାନଙ୍କର ହୃଦୟ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲା; ହେ ସିୟୋନ କନ୍ୟାର ପ୍ରାଚୀର, ଦିବାରାତ୍ର ଅଶ୍ରୁଧାରା ସ୍ରୋତ ପରି ବୁହାଅ; ତୁମ୍ଭେ ଆପଣାକୁ କିଛି ବିଶ୍ରାମ ଦିଅ ନାହିଁ; ତୁମ୍ଭ ଚକ୍ଷୁର ତାରା ଶାନ୍ତ ନ ହେଉ।
19ଉଠ, ରାତ୍ରିରେ, ପ୍ରତ୍ୟେକ ପ୍ରହରର ଆରମ୍ଭରେ ଆର୍ତ୍ତସ୍ୱର କର; ପ୍ରଭୁଙ୍କ ସମ୍ମୁଖରେ ତୁମ୍ଭର ହୃଦୟ ଜଳ ପରି ଢାଳିଦିଅ; ତୁମ୍ଭର ବାଳକ ବାଳିକାଗଣର ପ୍ରାଣରକ୍ଷାର୍ଥେ ତାହାଙ୍କ ଛାମୁରେ କୃତାଞ୍ଜଳି ହୁଅ, ସେମାନେ ପ୍ରତ୍ୟେକ ସଡ଼କର ମୁଣ୍ଡରେ କ୍ଷୁଧାରେ କ୍ଳାନ୍ତ ହେଉଅଛନ୍ତି।
20ହେ ସଦାପ୍ରଭୁ, ଦେଖ, ନିରୀକ୍ଷଣ କର, ତୁମ୍ଭେ କାହା ପ୍ରତି ଏପ୍ରକାର ବ୍ୟବହାର କରିଅଛ? ସ୍ତ୍ରୀଲୋକେ କି ଆପଣା ଗର୍ଭଫଳକୁ, ହସ୍ତରେ ଲାଳିତ ଶିଶୁମାନଙ୍କୁ ଭୋଜନ କରିବେ? ଯାଜକ ଓ ଭବିଷ୍ୟଦ୍ବକ୍ତା କି ପ୍ରଭୁଙ୍କର ପବିତ୍ର ସ୍ଥାନରେ ହତ ହେବେ?