12ଏଥିରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକସମୂହକୁ ଭୟ କଲେ; କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ, ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ।
13ପରେ ଯୀଶୁଙ୍କ କଥାର ଛିଦ୍ର ଧରିବା ନିମନ୍ତେ ସେମାନେ ଫାରୂଶୀ ଓ ହେରୋଦୀୟମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ।
14ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାକୁ ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?
15ଆମ୍ଭେମାନେ ଦେବା କି ନାହିଁ? କିନ୍ତୁ ଯୀଶୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, “କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ମୁଦ୍ରା ମୋʼ ପାଖକୁ ଆଣ, ମୁଁ ତାହା ଦେଖେ।”
16ତହିଁରେ ସେମାନେ ତାହା ଆଣିଲେ। ଯୀଶୁ ସେମାନଙ୍କୁ ପଚାରିଲେ, “ଏହି ମୂର୍ତ୍ତି ଓ ନାମ କାହାର?” ସେମାନେ ତାହାଙ୍କୁ କହିଲେ, କାଇସରଙ୍କର।