18ଦେଖ, ଆମ୍ଭର ଦାସ, ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ; ଆମ୍ଭର ପ୍ରିୟପାତ୍ର, ଯାହାଙ୍କଠାରେ ଆମ୍ଭ ଆତ୍ମାର ପରମ ସନ୍ତୋଷ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ଅଧିଷ୍ଠାନ କରାଇବା, ଆଉ ସେ ଅଣଯିହୁଦୀମାନଙ୍କ ପାଖରେ ନ୍ୟାୟବିଚାର ପ୍ରଚାର କରିବେ।
19ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ।
20ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା-ନଳ ଭାଙ୍ଗିବେ ନାହିଁ, ପୁଣି, ସଧୂମ ସଳିତା ଲିଭାଇବେ ନାହିଁ।
21ଆଉ, ତାହାଙ୍କ ନାମରେ ଅଣଯିହୁଦୀମାନେ ଭରସା ରଖିବେ।
22ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକକୁ ତାହାଙ୍କ ନିକଟକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା।