1ଯେଉଁ ଲୋକ କଚାଡ଼ି ଖଣ୍ଡ ଖଣ୍ଡ କରେ, ସେ ତୁମ୍ଭ (ନୀନିବୀ) ସମ୍ମୁଖରେ ଉପସ୍ଥିତ ହୋଇଅଛି; ଦୁର୍ଗ ରକ୍ଷା କର, ପଥ ନିରୀକ୍ଷଣ କର, ଆପଣା କଟି ଦୃଢ଼ କର, ଆପଣାକୁ ଅତିଶୟ ବଳବାନ କର।
2କାରଣ ସଦାପ୍ରଭୁ ଇସ୍ରାଏଲର ଗୌରବ ସଦୃଶ୍ୟ ଯାକୁବର ଗୌରବ ପୁନର୍ବାର ଆଣୁଅଛନ୍ତି; ଯେହେତୁ ଶତ୍ରୁମାନେ ସେମାନଙ୍କୁ ଧ୍ୱଂସ କରିଅଛନ୍ତି; ଓ ସେମାନଙ୍କର ଦ୍ରାକ୍ଷାଲତାସବୁ ନଷ୍ଟ କରିଅଛନ୍ତି।
3ତାହାର ବୀରଗଣର ଢାଲ ରକ୍ତୀକୃତ, ବିକ୍ରମୀଗଣ ସିନ୍ଦୂର ବର୍ଣ୍ଣ ବସ୍ତ୍ର ପରିହିତ; ତାହାର ଆୟୋଜନ ଦିନରେ ରଥସକଳ ଲୌହରେ ଚକ୍ଚକ୍ ଓ ବର୍ଚ୍ଛାସକଳ ଭୟାନକ ରୂପେ ଚାଳିତ ହୁଅଇ।
4ରାଜଦାଣ୍ଡସକଳରେ ରଥସବୁ ବ୍ୟଗ୍ରରେ ଗମନାଗମନ କରେ, ପ୍ରଶସ୍ତ ଛକମାନରେ ସେହିସବୁର ଧକ୍କା ଏକଆରେକର ଉପରେ ଲାଗେ; ସେସବୁର ଦୃଶ୍ୟ ମଶାଲ ତୁଲ୍ୟ, ସେମାନେ ବିଜୁଳି ପରି ଦୌଡ଼ନ୍ତି।
5ସେ ଆପଣା ପ୍ରତାପାନ୍ୱିତ ଲୋକମାନଙ୍କୁ ସ୍ମରଣ କରେ; ସେମାନେ ଗମନ କରୁ କରୁ ଝୁଣ୍ଟି ପଡ଼ନ୍ତି; ସେମାନେ ତହିଁର ପ୍ରାଚୀର ଆଡ଼କୁ ଦୌଡ଼ାଦୌଡ଼ି କରନ୍ତି ଓ ଅବରୋଧ ଯନ୍ତ୍ର ସ୍ଥାପିତ ହୋଇଅଛି।