35ଓ କେତେକ ଯାଜକ-ସନ୍ତାନ ତୂରୀ ନେଇ ଗମନ କଲେ; ଆସଫ-ବଂଶଜାତ ସକ୍କୁରର ବୃଦ୍ଧ ପ୍ରପୌତ୍ର, ମୀଖାୟର ପ୍ରପୌତ୍ର, ମତ୍ତନୀୟର ପୌତ୍ର, ଶମୟୀୟର ପୁତ୍ର ଯେ ଯୋନାଥନ, ତାହାର ପୁତ୍ର ଜିଖରୀୟ
36ଓ ତାହାର ଭ୍ରାତୃଗଣ ଶମୟୀୟ ଓ ଅସରେଲ୍, ମିଲଲୟ, ଗିଲଲୟ, ମାୟୀୟ, ନଥନେଲ ଓ ଯିହୁଦା, ହନାନି, ଏମାନେ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ; ଏଜ୍ରା ଅଧ୍ୟାପକ ସେମାନଙ୍କ ଆଗେ ଆଗେ ଚାଲିଲେ;
37ପୁଣି, ସେମାନେ ନିର୍ଝରଦ୍ୱାର ନିକଟ ହୋଇ ଆପଣାମାନଙ୍କ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ-ନଗରର ପାହାଚ ଦ୍ୱାରା ପ୍ରାଚୀରର ଉଠାଣିରେ ଉଠି ଦାଉଦଙ୍କର ଗୃହ ଉପର ଦେଇ ପୂର୍ବ ଆଡ଼େ ଜଳଦ୍ୱାର ପର୍ଯ୍ୟନ୍ତ ଗଲେ।
38ପୁଣି, ସେମାନଙ୍କର ଅନ୍ୟ ଯେଉଁ ଦଳ ଧନ୍ୟବାଦ ଉତ୍ସର୍ଗ କଲେ, ସେମାନେ ସେମାନଙ୍କୁ ସାକ୍ଷାତ କରିବାକୁ ଗଲେ, ଆଉ ଆମ୍ଭେ ଓ ଲୋକମାନଙ୍କର ଅର୍ଦ୍ଧେକ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ-ଦୁର୍ଗ ଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ;
39ଆଉ, ଇଫ୍ରୟିମ-ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମିୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ; ଆଉ, ସେମାନେ ପ୍ରହରୀ-ଦ୍ୱାରରେ ଠିଆ ହୋଇ ରହିଲେ।