7ଏଉତ୍ତାରେ ମୁଁ ଯିରୂଶାଲମକୁ ଆସି ଇଲୀୟାଶୀବ, ଟୋବୀୟ ନିମନ୍ତେ ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣରେ ଏକ କୋଠରି ପ୍ରସ୍ତୁତ କରି ଯେଉଁ ଭୁଲ୍ କରିଥିଲା, ତାହା ବୁଝିଲି।
8ଏଥିରେ ମୁଁ ଅତ୍ୟନ୍ତ କ୍ରୋଧିତ ହୋଇ ସେହି କୋଠରିରୁ ଟୋବୀୟର ସମସ୍ତ ଗୃହସାମଗ୍ରୀ ବାହାର କରି ଫୋପାଡ଼ି ଦେଲି।
9ତହୁଁ ମୁଁ ଆଜ୍ଞା କରନ୍ତେ, ସେମାନେ କୋଠରିସବୁ ଶୁଚି କଲେ; ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଭକ୍ଷ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି।
10ଆହୁରି, ମୁଁ ଦେଖିଲି ଯେ, ଲେବୀୟମାନଙ୍କ ଅଂଶ ସେମାନଙ୍କୁ ଦିଆଯାଇ ନ ଥିଲା; ତେଣୁ ପ୍ରତ୍ୟେକେ କର୍ମକାରୀ ଲେବୀୟମାନେ ଓ ଗାୟକମାନେ ମନ୍ଦିର ଛାଡ଼ି ଆପଣା ଆପଣା ଭୂମିକୁ ଗଲେ।
11ତହିଁରେ “କାହିଁକି ପରମେଶ୍ୱରଙ୍କ ଗୃହ ପରିତ୍ୟକ୍ତ ହୋଇଅଛି?” ଏହା କହି ମୁଁ ଅଧ୍ୟକ୍ଷମାନଙ୍କ ସଙ୍ଗେ ବାଦାନୁବାଦ କଲି, ପୁଣି, ମୁଁ ସେମାନଙ୍କୁ ଏକତ୍ର କରି ସ୍ୱ ସ୍ୱ ପଦରେ ସେମାନଙ୍କୁ ନିଯୁକ୍ତ କଲି।