10ଏହାପରେ ମହେଟବେଲର ପୌତ୍ର ଦଲୟିୟର ପୁତ୍ର ଯେଉଁ ଶମୟୀୟ ଗୃହରେ ରୁଦ୍ଧ ଥିଲା, ମୁଁ ତାହା ଗୃହକୁ ଗଲି, ତହୁଁ ସେ କହିଲା, “ଆମ୍ଭେମାନେ ପରମେଶ୍ୱରଙ୍କ ଗୃହରେ, ମନ୍ଦିର ମଧ୍ୟରେ ଏକତ୍ରିତ ହେଉ ଓ ମନ୍ଦିରର ଦ୍ୱାରସବୁ ବନ୍ଦ କରୁ; କାରଣ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ; ରାତ୍ରିରେ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ।”
11ତହିଁରେ ମୁଁ କହିଲି, “ମୋʼ ପରି ଲୋକ କʼଣ ପଳାଇବ? ମୋʼ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି? ମୁଁ ଭିତରକୁ ଯିବି ନାହିଁ।”
12ମାତ୍ର ମୁଁ ଚିହ୍ନିଲି, ଆଉ ଦେଖ, ପରମେଶ୍ୱର ତାହାକୁ ପଠାଇ ନ ଥିଲେ; ତଥାପି ସେ ମୋʼ ବିରୁଦ୍ଧରେ ଏହି ଭବିଷ୍ୟଦ୍ବାକ୍ୟ ପ୍ରଚାର କଲା; ଆଉ, ଟୋବୀୟ ଓ ସନ୍ବଲ୍ଲଟ୍ ତାହାକୁ ବେତନ ଦେଇଥିଲେ।
13ମୁଁ ଯେପରି ଭୀତ ହେବି ଓ ସେହି କର୍ମ କରି ପାପ କରିବି, ପୁଣି ସେମାନେ ଯେପରି ମୋତେ ତିରସ୍କାର କରିବା ପାଇଁ ମୋହର ଦୁର୍ନାମର କାରଣ ପାଇବେ, ଏହି ଅଭିପ୍ରାୟରେ ତାହାକୁ ବେତନ ଦିଆଯାଇଥିଲା।
14ହେ ମୋହର ପରମେଶ୍ୱର, ଟୋବୀୟ ଓ ସନ୍ବଲ୍ଲଟ୍ର ଏହିସବୁ କର୍ମାନୁସାରେ ସେମାନଙ୍କୁ, ଆଉ ମୋତେ ଭୟଗ୍ରସ୍ତ କରିବାକୁ ଇଚ୍ଛା କଲେ ଯେ ନୋୟଦୀୟା ଭବିଷ୍ୟଦ୍ବକ୍ତ୍ରୀ ଓ ଅନ୍ୟାନ୍ୟ ଭବିଷ୍ୟଦ୍ବକ୍ତା, ସେମାନଙ୍କୁ ସ୍ମରଣ କର।