25ତହିଁରେ ସେମାନେ ପ୍ରାଚୀର-ବେଷ୍ଟିତ ନଗରସକଳ ଓ ଉର୍ବରା ଭୂମି ନେଲେ, ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ଓ ପ୍ରଚୁର ଫଳବୃକ୍ଷ ଅଧିକାର କଲେ; ତହୁଁ ସେମାନେ ଭୋଜନ କରି ତୃପ୍ତ ଓ ପୁଷ୍ଟ ହେଲେ ଓ ତୁମ୍ଭର ମହାମଙ୍ଗଳଦାନରେ ଆନନ୍ଦ କଲେ।
26ତଥାପି ସେମାନେ ଅନାଜ୍ଞାବହ ହେଲେ ଓ ତୁମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କଲେ ଓ ତୁମ୍ଭ ବ୍ୟବସ୍ଥା ଆପଣା ପଛକୁ ପକାଇଲେ, ଆଉ ତୁମ୍ଭର ଯେଉଁ ଭବିଷ୍ୟଦ୍ବକ୍ତାମାନେ ସେମାନଙ୍କୁ ତୁମ୍ଭ ପ୍ରତି ପୁନର୍ବାର ଫେରାଇବା ପାଇଁ ସେମାନଙ୍କୁ ଚେତାବନୀ ଦେଲେ, ତେଣୁ ସେମାନଙ୍କୁ ବଧ କଲେ ଓ ଅପମାନଜନକ କାର୍ଯ୍ୟ କଲେ।
27ଏହେତୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ କ୍ଳେଶ ଦେଲେ; ମାତ୍ର କ୍ଳେଶ ସମୟରେ ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
28ମାତ୍ର ସେମାନେ ବିଶ୍ରାମ ପାଇଲା ଉତ୍ତାରେ ପୁନର୍ବାର ତୁମ୍ଭ ଦୃଷ୍ଟିରେ କୁକର୍ମ କଲେ; ଏହେତୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣ ହସ୍ତରେ ସମର୍ପଣ କଲ, ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ, ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଅନେକ ଥର ତୁମ୍ଭେ ଆପଣା ଦୟାନୁସାରେ ସେମାନଙ୍କୁ ଉଦ୍ଧାର କଲ।
29ପୁଣି, ସେମାନଙ୍କୁ ପୁନର୍ବାର ଆପଣା ବ୍ୟବସ୍ଥାରୂପ ମାର୍ଗକୁ ଆଣିବା ନିମନ୍ତେ ସେମାନଙ୍କ ଚେତାବନୀ ଦେଲ; ତଥାପି ସେମାନେ ଗର୍ବାଚରଣ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ, ମାତ୍ର ଯାହା ପାଳନ କଲେ ମନୁଷ୍ୟ ବଞ୍ଚିବ, ତୁମ୍ଭର ସେହି ଶାସନ ବିରୁଦ୍ଧରେ ପାପ କଲେ, ପୁଣି ମନଯୋଗ କଲେ ନାହିଁ ଓ ଆପଣା ଆପଣା ମନ କଠିନ କଲେ ଓ ଶୁଣିବାକୁ ଅସମ୍ମତ ହେଲେ।