1ଏଥିଉତ୍ତାରେ ଲୋକମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ମନ୍ଦ କଥା କହି ବଚସାକାରୀ ଲୋକମାନଙ୍କ ତୁଲ୍ୟ ହେଲେ; ପୁଣି, ସଦାପ୍ରଭୁ ତାହା ଶୁଣନ୍ତେ, ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତଭାଗ ଗ୍ରାସ କଲା।
2ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟରେ କ୍ରନ୍ଦନ କଲେ; ତହୁଁ ମୋଶା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସେହି ଅଗ୍ନି ଲିଭିଗଲା।
3ତେଣୁ ସେହି ସ୍ଥାନର ନାମ ତବୀୟେରା ହେଲା, କାରଣ ସଦାପ୍ରଭୁଙ୍କ ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କଲା।
4ଏଥିଉତ୍ତାରେ ସେମାନଙ୍କ ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ; ପୁଣି, ଇସ୍ରାଏଲ-ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, “କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ?
5ଆମ୍ଭେମାନେ ମିସର ଦେଶରେ ବିନାମୂଲ୍ୟରେ ଯେଉଁ ମାଛ ଖାଉଥିଲୁ, ତାହା ମନରେ ପଡ଼େ; ସେ କାକୁଡ଼ି, ସେ ଖରଭୁଜ, ସେ ପରୁ, ସେ ପିଆଜ ଓ ରସୁଣ (ମନରେ ପଡ଼େ);