13ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ, ଏହା କି କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ଆପଣାକୁ ଆମ୍ଭମାନଙ୍କ ଉପରେ ରାଜା କରୁଅଛ।
14ତାହା ବ୍ୟତୀତ ତୁମ୍ଭେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆମ୍ଭମାନଙ୍କୁ ଆଣି ନାହଁ, କିଅବା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରର ଅଧିକାର ଆମ୍ଭମାନଙ୍କୁ ଦେଇ ନାହିଁ; ତୁମ୍ଭେ କି ଏହି ସମସ୍ତ ଲୋକଙ୍କର ଆଖି ଉପାଡ଼ି ପକାଇବ? ଆମ୍ଭେମାନେ ଯିବା ନାହିଁ।”
15ତହିଁରେ ମୋଶା ଅତିଶୟ କ୍ରୋଧାନ୍ୱିତ ହୋଇ ଉଠିଲେ, ପୁଣି, ସେ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ; ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇ ନାହୁଁ, ଅବା ସେମାନଙ୍କ ମଧ୍ୟରୁ କାହାକୁ ହିଁ ହିଂସା କରି ନାହୁଁ।”
16ତେବେ ମୋଶା କୋରହକୁ କହିଲେ, “କାଲି ତୁମ୍ଭେ ଓ ତୁମ୍ଭର ସମସ୍ତ ମଣ୍ଡଳୀ, ତୁମ୍ଭେ ଓ ସେମାନେ, ପୁଣି, ହାରୋଣ, ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୁଅ;
17ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଥୁଅ, ପୁଣି, ତୁମ୍ଭେମାନେ ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ସମ୍ମୁଖକୁ ଆପଣା ଆପଣା ଅଙ୍ଗାରଧାନୀ, ଦୁଇ ଶହ ପଚାଶ ଅଙ୍ଗାରଧାନୀ ଆଣ; ମଧ୍ୟ ତୁମ୍ଭେ ଓ ହାରୋଣ, ଦୁହେଁ ଆପଣା ଆପଣା ଅଙ୍ଗାରଧାନୀ ଆଣ।”