26ତହୁଁ ସେ ମଣ୍ଡଳୀକୁ କହିଲେ, “ବିନୟ କରୁଅଛି, ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠିଯାଅ ଓ ସେମାନଙ୍କର କିଛିମାତ୍ର ସ୍ପର୍ଶ କର ନାହିଁ, ନୋହିଲେ ତୁମ୍ଭେମାନେ ସେମାନଙ୍କ ପାପସମୂହରେ ବିନଷ୍ଟ ହେବ।”
27ଏଥିରେ ସେମାନେ କୋରହର, ଦାଥନର ଓ ଅବୀରାମର ଆବାସ-ଚତୁର୍ଦ୍ଦିଗରୁ ଉଠିଗଲେ ପୁଣି, ଦାଥନ ଓ ଅବୀରାମ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହୋଇ ରହିଲେ।
28ତହୁଁ ମୋଶା କହିଲେ, “ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି; ମୁଁ ଆପଣା ନିଜ ମନରୁ ତାହାସବୁ କରି ନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ।
29ଯଦି ଏହି ଲୋକମାନେ ସମସ୍ତ ଲୋକଙ୍କ ସାଧାରଣ ମରଣରେ ମରନ୍ତି, କିଅବା ଯଦି ସମସ୍ତ ଲୋକଙ୍କ ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ; ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି।
30ମାତ୍ର ସଦାପ୍ରଭୁ ଯଦି କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସି ଯାଆନ୍ତି; ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି, ତାହା ତୁମ୍ଭେମାନେ ବୁଝିବ।”