11ତାହା କ୍ଷେତ୍ରସ୍ଥ ପଶୁଗଣକୁ ଜଳ ଯୋଗାଏ, ବନ୍ୟ ଗର୍ଦ୍ଦଭମାନେ ତହିଁରେ ଆପଣା ଆପଣା ତୃଷା ନିବାରଣ କରନ୍ତି।
12ତହିଁ ନିକଟରେ ଖେଚର ପକ୍ଷୀଗଣ ବସା କରନ୍ତି, ସେମାନେ ଡାଳ ମଧ୍ୟରେ ଗାନ କରନ୍ତି।
13ସେ ଆପଣା ସ୍ବର୍ଗରୁ ପର୍ବତଗଣକୁ ଜଳରେ ସେଚନ କରନ୍ତି; ପୃଥିବୀ ତାହାଙ୍କ କର୍ମର ଫଳରେ ତୃପ୍ତ ହୁଏ।
14ସେ ପଶୁଗଣ ନିମନ୍ତେ ତୃଣ ଓ ମନୁଷ୍ୟର ସେବା ନିମନ୍ତେ ଶାକ ଅଙ୍କୁରିତ କରନ୍ତି; ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।
15ପୁଣି, ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ, ମୁଖ-ଚିକ୍କଣକାରୀ ତୈଳ ଓ ମନୁଷ୍ୟର ହୃଦୟ ସବଳକାରୀ ଭକ୍ଷ୍ୟ ଉତ୍ପନ୍ନ କରନ୍ତି।