9ତହୁଁ ବୋୟଜ ପ୍ରାଚୀନଗଣକୁ ଓ ସମସ୍ତ ଲୋକଙ୍କୁ କହିଲା, “ଏଲିମେଲକର ଯାହା ଯାହା ଥିଲା ଓ କିଲୀୟୋନର ଓ ମହଲୋନର ଯାହା ଯାହା ଥିଲା, ତାହା ମୁଁ ନୟମୀଠାରୁ କ୍ରୟ କଲି, ଏ ବିଷୟରେ ତୁମ୍ଭେମାନେ ଆଜି ମୋହର ସାକ୍ଷୀ ହେଲ।
10ଆହୁରି ନିଜ ଭ୍ରାତୃଗଣ ମଧ୍ୟରୁ ଓ ନିଜ ବସତି ସ୍ଥାନର ଦ୍ୱାରରୁ ସେହି ମୃତ ବ୍ୟକ୍ତିର ନାମ ଯେପରି ଲୋପ ନୋହିବ, ଏଥିପାଇଁ ସେହି ମୃତ ଲୋକର ଅଧିକାରରେ ତାହାର ନାମ ରକ୍ଷା କରିବା ପାଇଁ ମୁଁ ମହଲୋନର ସ୍ତ୍ରୀ ମୋୟାବ ଦେଶୀୟା ରୂତକୁ ନିଜ ସ୍ତ୍ରୀ ରୂପେ ଲାଭ କଲି ଆଜି ତୁମ୍ଭେମାନେ ଏ ବିଷୟର ସାକ୍ଷୀ ହେଲ।”
11ତହିଁରେ ନଗରଦ୍ୱାରବର୍ତ୍ତୀ ସମସ୍ତ ଲୋକ ଓ ପ୍ରାଚୀନଗଣ କହିଲେ, “ଆମ୍ଭେମାନେ ସାକ୍ଷୀ ହେଲୁ, ସଦାପ୍ରଭୁ ଇସ୍ରାଏଲ ବଂଶର ବୃଦ୍ଧିକାରିଣୀ ରାହେଲ ଓ ଲେୟା, ଦୁଇ ସ୍ତ୍ରୀର ତୁଲ୍ୟ ତୁମ୍ଭ ଗୃହକୁ ଆଗତା ଏହି ସ୍ତ୍ରୀକୁ କରନ୍ତୁ; ଆଉ, ତୁମ୍ଭେ ଇଫ୍ରାଥାରେ ବିକ୍ରମଶାଳୀ ହୁଅ ଓ ବେଥଲିହିମରେ ତୁମ୍ଭର ବିଖ୍ୟାତ ହେଉ।
12ସଦାପ୍ରଭୁ ଏହି ଯୁବତୀ ଦ୍ୱାରା ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ ଯିହୁଦାର ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ।”
13ଏରୂପେ ବୋୟଜ ରୂତକୁ ବିବାହ କରନ୍ତେ, ସେ ତାହାର ସ୍ତ୍ରୀ ହେଲା, ପୁଣି ତାହାର ସହବାସ କରନ୍ତେ, ସେ ସଦାପ୍ରଭୁଙ୍କଠାରୁ ଗର୍ଭଧାରଣ ଶକ୍ତି ପାଇ ପୁତ୍ର ପ୍ରସବ କଲା।