11ସେତେବେଳେ ସେମାନେ ମେହେନ୍ଦି ବୃକ୍ଷ ମଧ୍ୟରେ ଠିଆ ହୋଇଥିବା ସଦାପ୍ରଭୁଙ୍କ ଦୂତକୁ ଉତ୍ତର କରି କହିଲେ, ‘ଆମ୍ଭେମାନେ ପୃଥିବୀର ଏଣେତେଣେ ଗମନାଗମନ କରିଅଛୁ, ଆଉ ଦେଖ, ସମୁଦାୟ ପୃଥିବୀ ସୁସ୍ଥିର ହୋଇ ବସିଅଛି ଓ ବିଶ୍ରାମରେ ଅଛି।’
12ତହିଁରେ ସଦାପ୍ରଭୁଙ୍କ ଦୂତ ଉତ୍ତର କରି କହିଲେ, ‘ହେ ସୈନ୍ୟାଧିପତି ସଦାପ୍ରଭୁ, ଏହି ସତୁରି ବର୍ଷସାରା ତୁମ୍ଭେ ଯେଉଁମାନଙ୍କ ଉପରେ ବିରକ୍ତ ହୋଇ ଆସିଅଛ, ସେହି ଯିରୂଶାଲମ ଓ ଯିହୁଦାର ନଗରସମୂହ ପ୍ରତି ଆଉ କେତେ ସମୟ ଦୟା କରିବ ନାହିଁ?’
13ପୁଣି, ମୋʼ ସହିତ କଥା କହୁଥିବା ଦୂତକୁ ସଦାପ୍ରଭୁ ଉତ୍ତର କରି ମଙ୍ଗଳ କଥା ଓ ନାନା ସାନ୍ତ୍ୱନାଦାୟକ କଥା କହିଲେ।
14ତହିଁରେ ମୋʼ ସଙ୍ଗେ କଥା କହୁଥିବା ଦୂତ ମୋତେ କହିଲେ, ତୁମ୍ଭେ ଘୋଷଣା କରି କୁହ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି ଆମ୍ଭେ ଯିରୂଶାଲମ ଓ ସିୟୋନ ପକ୍ଷରେ ମହା ଈର୍ଷାରେ ଈର୍ଷାନ୍ୱିତ ଅଛୁ।
15ଆଉ, ଯେଉଁ ଗୋଷ୍ଠୀଗଣ ନିଶ୍ଚିନ୍ତରେ ଅଛନ୍ତି, ସେମାନଙ୍କ ପ୍ରତି ଆମ୍ଭେ ଅତ୍ୟନ୍ତ ବିରକ୍ତ ଅଟୁ; କାରଣ ଆମ୍ଭେ ଅଳ୍ପମାତ୍ର ବିରକ୍ତ ହୁଅନ୍ତେ, ସେମାନେ କ୍ଳେଶକୁ ବୃଦ୍ଧି କଲେ।