1ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ବାକ୍ୟ। ଯେ ଆକାଶମଣ୍ଡଳ ବିସ୍ତାର କରନ୍ତି ଓ ପୃଥିବୀର ଭିତ୍ତିମୂଳ ସ୍ଥାପନ କରନ୍ତି ଓ ମନୁଷ୍ୟର ଅନ୍ତରରେ ଆତ୍ମା ନିର୍ମାଣ କରନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି।
2“ଦେଖ, ଆମ୍ଭେ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଗୋଷ୍ଠୀ ପ୍ରତି ଯିରୂଶାଲମକୁ ଟଳଟଳଜନକ ପାନପାତ୍ର ସ୍ୱରୂପ କରିବା ଓ ଯିରୂଶାଲମର ଅବରୋଧ ସମୟରେ ଯିହୁଦା ଉପରେ ମଧ୍ୟ ବର୍ତ୍ତିବ।
3ପୁଣି, ସେହି ଦିନ ଆମ୍ଭେ ଯିରୂଶାଲମକୁ ସମସ୍ତ ଗୋଷ୍ଠୀ ପ୍ରତି ଭାର ସ୍ୱରୂପ ପ୍ରସ୍ତର କରିବା; ଯେଉଁମାନେ ସେହି ପ୍ରସ୍ତର ଉଠାଇବା ପାଇଁ ଚେଷ୍ଟା କରନ୍ତି, ସେହି ସମସ୍ତେ ଅତ୍ୟନ୍ତ କ୍ଷତବିକ୍ଷତ ହେବେ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତାହା ବିରୁଦ୍ଧରେ ଏକତ୍ରିତ ହେବେ।
4ସଦାପ୍ରଭୁ କହନ୍ତି, ସେହି ଦିନ ଆମ୍ଭେ ପ୍ରତ୍ୟେକ ଅଶ୍ୱକୁ ଆତଙ୍କରେ ଓ ଆରୋହୀକୁ ପାଗଳାମିରେ ଆଘାତ କରିବା ଆଉ, ଆମ୍ଭେ ଯିହୁଦା ବଂଶ ପ୍ରତି ଆପଣା ଚକ୍ଷୁ ମେଲାଇ ଗୋଷ୍ଠୀଗଣର ପ୍ରତ୍ୟେକ ଅଶ୍ୱକୁ ଅନ୍ଧ କରିବା।
5ପୁଣି, ଯିହୁଦାର ଅଧ୍ୟକ୍ଷଗଣ ଆପଣା ଆପଣା ମନରେ କହିବେ, ‘ଯିରୂଶାଲମର ନିବାସୀମାନେ ଆମର ବଳ ସ୍ୱରୂପ ଅଟନ୍ତି କାରଣ ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଅଟନ୍ତି।’