19ଦାଉଦ ପଲେଷ୍ଟୀୟମାନଙ୍କ ସହିତ ଶାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବା ବେଳେ ମନଃଶିୟମାନଙ୍କର କେତେକ ଲୋକ ମଧ୍ୟ ଦାଉଦଙ୍କର ପକ୍ଷ ହେଲେ, ମାତ୍ର ସେମାନଙ୍କ ଦେଇ ସେମାନଙ୍କର ସାହାଯ୍ୟ ନୋହିଲା; କାରଣ ପଲେଷ୍ଟୀୟମାନଙ୍କ ଅଧିପତିମାନେ ମନ୍ତ୍ରଣା କରି ତାଙ୍କୁ ବିଦାୟ ଦେଇ କହିଲେ, “ସେ ଆପଣା ପ୍ରଭୁ ଶାଉଲଙ୍କର ପକ୍ଷ ହୋଇ ଆମ୍ଭମାନଙ୍କ ମସ୍ତକକୁ ସଙ୍କଟରେ ପକାଇବ।”
20ଦାଉଦ ସିକ୍ଲଗ୍କୁ ଯିବା ବେଳେ ମନଃଶି ସମ୍ବନ୍ଧୀୟ ଅଦ୍ନହ, ଯୋଷାବଦ୍, ଯିଦୀୟେଲ, ମୀଖାୟେଲ, ଯୋଷାବଦ୍, ଇଲୀହୂ ଓ ସିଲ୍ଲଥୟ, ଏହି ମନଃଶି-ବଂଶୀୟ ସହସ୍ରପତିମାନେ ତାଙ୍କର ପକ୍ଷ ହେଲେ।
21ଆଉ ସେମାନେ ଲୁଟକାରୀ ଦଳ ବିରୁଦ୍ଧରେ ଦାଉଦଙ୍କର ସାହାଯ୍ୟ କଲେ; କାରଣ ସେମାନେ ସମସ୍ତେ ମହାବିକ୍ରମଶାଳୀ ପୁରୁଷ ଓ ସେନାପତି ଥିଲେ।
22ଦିନକୁ ଦିନ ଲୋକମାନେ ଦାଉଦଙ୍କୁ ସାହାଯ୍ୟ କରିବାକୁ ଆସିଲେ, ତହିଁରେ ପରମେଶ୍ୱରଙ୍କ ସୈନ୍ୟ ତୁଲ୍ୟ ମହାସୈନ୍ୟ ହେଲା।
23ସଦାପ୍ରଭୁଙ୍କ ବାକ୍ୟାନୁସାରେ ଶାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ୍ଜ ଯେଉଁ ଲୋକମାନେ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସିଥିଲେ, ସେମାନଙ୍କ ସଂଖ୍ୟା ଏହି।