4ଆଉ, ଅସଂଖ୍ୟ ଏରସ କାଷ୍ଠ ପ୍ରସ୍ତୁତ କଲେ, କାରଣ ସୀଦୋନୀୟ ଓ ସୋରୀୟ ଲୋକମାନେ ଦାଉଦଙ୍କ ନିକଟକୁ ଅଧିକ ପରିମାଣର ଏରସ କାଷ୍ଠ ଆଣିଲେ।
5ଆଉ ଦାଉଦ କହିଲେ, “ମୋʼ ପୁତ୍ର ଶଲୋମନ ଅଳ୍ପ ବୟସ୍କ ଓ କୋମଳ, ପୁଣି, ସଦାପ୍ରଭୁଙ୍କ ନିମନ୍ତେ ଯେଉଁ ଗୃହ ନିର୍ମାଣ କରାଯିବ, ତାହା କୀର୍ତ୍ତି ଓ ଗୌରବ ସକାଶୁ ସମଗ୍ର ଦେଶରେ ଅତିଶୟ ପ୍ରତାପାନ୍ୱିତ ହେବ; ଏହେତୁ ମୁଁ ତହିଁ ପାଇଁ ଆୟୋଜନ କରିବି।” ଏହିପରି ଦାଉଦ ଆପଣା ମୃତ୍ୟୁୁ ପୂର୍ବେ ଅଧିକ ପ୍ରଚୁର ପରିମାଣରେ ରୂପେ ଆୟୋଜନ କଲେ।
6ଏଥିଉତ୍ତାରେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ଡକାଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ ଆଜ୍ଞା ଦେଲେ।
7ଆଉ, ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା।
8ମାତ୍ର, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ‘ତୁମ୍ଭେ ଅଧିକ ପରିମାଣର ରକ୍ତପାତ ଓ ବଡ଼ ବଡ଼ ଯୁଦ୍ଧ କରିଅଛ; ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଆମ୍ଭ ସାକ୍ଷାତରେ ଭୂମିରେ ଅଧିକ ପରିମାଣର ରକ୍ତପାତ କରିଅଛ।