1ଏଥିଉତ୍ତାରେ ଦାଉଦ ଇସ୍ରାଏଲର ସମଗ୍ର ଅଧିପତିଙ୍କୁ, ବଂଶାଧିପତିଗଣଙ୍କୁ ଓ ପାଳିକ୍ରମେ ରାଜାଙ୍କର ସେବାକାରୀ ଦଳର ଅଧ୍ୟକ୍ଷମାନଙ୍କୁ, ପୁଣି, ସହସ୍ରପତି ଓ ଶତପତିମାନଙ୍କୁ, ଆଉ ରାଜାଙ୍କର ଓ ରାଜପୁତ୍ରମାନଙ୍କର ସକଳ ସମ୍ପତ୍ତି ଓ ଅଧିକାରର ଅଧ୍ୟକ୍ଷମାନଙ୍କୁ ଓ ନପୁଂସକଗଣକୁ ଓ ବୀରମାନଙ୍କୁ ଓ ମହାବିକ୍ରମଶାଳୀ ଲୋକଙ୍କୁ ଯିରୂଶାଲମରେ ଏକତ୍ର କଲେ।
2ତହୁଁ ଦାଉଦ ରାଜା ଆପଣା ପାଦରେ ଠିଆ ହୋଇ କହିଲେ, “ହେ ମୋହର ଭ୍ରାତୃଗଣ, ମୋହର ଲୋକମାନେ, ମୋହର କଥା ଶୁଣ; ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପାଦପୀଠ ନିମନ୍ତେ ଏକ ବିଶ୍ରାମର ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ଓ ମୁଁ ନିର୍ମାଣାର୍ଥେ ଆୟୋଜନ କରିଥିଲି।
3ମାତ୍ର ପରମେଶ୍ୱର ମୋତେ କହିଲେ, ‘ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଯୁଦ୍ଧକାରୀ ଓ ରକ୍ତପାତ କରିଅଛ।’
4ଯାହାହେଉ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋହର ସମୁଦାୟ ପିତୃବଂଶ ମଧ୍ୟରୁ ମୋତେ ଇସ୍ରାଏଲ ଉପରେ ନିତ୍ୟ ରାଜା ହେବା ପାଇଁ ମନୋନୀତ କରିଅଛନ୍ତି; କାରଣ ସେ ଅଗ୍ରଣୀ ହେବା ପାଇଁ ଯିହୁଦାକୁ ଓ ଯିହୁଦା ବଂଶ ମଧ୍ୟରୁ ମୋʼ ପିତୃବଂଶକୁ ମନୋନୀତ କରିଅଛନ୍ତି; ସେ ମୋʼ ପିତାଙ୍କ ପୁତ୍ରଗଣ ମଧ୍ୟରୁ ମୋତେ ସମୁଦାୟ ଇସ୍ରାଏଲ ଉପରେ ରାଜା କରିବା ପାଇଁ ମୋʼ ଠାରେ ସନ୍ତୁଷ୍ଟ ହେଲେ;
5ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି, ମାତ୍ର ମୋହର ସବୁ ପୁତ୍ର ମଧ୍ୟରୁ ଇସ୍ରାଏଲ ଉପରେ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ସେ ମୋʼ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି।