1ଏଥିଉତ୍ତାରେ ଦାଉଦ ରାଜା ସମଗ୍ର ସମାଜକୁ କହିଲେ, “ପରମେଶ୍ୱର ଆମ୍ଭ ପୁତ୍ର ଶଲୋମନଙ୍କୁ ଏକା ମନୋନୀତ କରିଅଛନ୍ତି, ସେ ଏବେ ମଧ୍ୟ ଅଳ୍ପ ବୟସ୍କ ଓ କୋମଳ, ପୁଣି, କାର୍ଯ୍ୟ ଅତି ବଡ଼; କାରଣ ଏହି ପ୍ରାସାଦ ମନୁଷ୍ୟ ପାଇଁ ନୁହେଁ, ମାତ୍ର ସଦାପ୍ରଭୁ ପରମେଶ୍ୱରଙ୍କ ନିମନ୍ତେ ଅଟେ।
2ଏବେ ମୁଁ ଆପଣାର ସମସ୍ତ ଶକ୍ତିରେ ମୋʼ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରଚୁର ରୂପେ ସ୍ୱର୍ଣ୍ଣମୟ ଦ୍ରବ୍ୟ ପାଇଁ ସୁନା ଓ ରୌପ୍ୟମୟ ଦ୍ରବ୍ୟ ପାଇଁ ରୂପା ଓ ପିତ୍ତଳମୟ ଦ୍ରବ୍ୟ ପାଇଁ ପିତ୍ତଳ, ଲୌହମୟ ଦ୍ରବ୍ୟ ପାଇଁ ଲୁହା ଓ କାଷ୍ଠମୟ ଦ୍ରବ୍ୟ ପାଇଁ କାଷ୍ଠ; ଗୋମେଦକ ମଣି ଓ ଖଚନାର୍ଥକ ପ୍ରସ୍ତର, ଜଡ଼ିତ-କର୍ମାର୍ଥକ ପ୍ରସ୍ତର ଓ ନାନା ବର୍ଣ୍ଣର ପ୍ରସ୍ତର ଓ ସର୍ବପ୍ରକାର ବହୁମୂଲ୍ୟ ପ୍ରସ୍ତର ଓ ମର୍ମର ପ୍ରସ୍ତର ଆୟୋଜନ କରିଅଛି।
3ଆହୁରି ମଧ୍ୟ ମୁଁ ଏହି ପବିତ୍ର ଗୃହ ନିମନ୍ତେ ଯାହାସବୁ ଆୟୋଜନ କରିଅଛି, ତାହା ଛଡ଼ା ଓ ତହିଁ ଉପରେ ମୋʼ ନିଜର ସୁନା ଓ ରୂପାର ଭଣ୍ଡାର ଅଛି, ଆଉ ମୁଁ ମୋʼ ପରମେଶ୍ୱରଙ୍କ ଗୃହ ପ୍ରତି ଆପଣା ମନ ଆସକ୍ତ କରିଥିବାରୁ ମୁଁ ତାହାସବୁ ଆପଣା ପରମେଶ୍ୱରଙ୍କ ଗୃହ ନିମନ୍ତେ ଦେଉଅଛି।