18ହେ ସଦାପ୍ରଭୋ, ଆମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମର, ଇସ୍ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ ହୃଦୟସ୍ଥ ଚିନ୍ତାର କଳ୍ପନାରେ ଏହା ସଦାକାଳ ରଖ ଓ ତୁମ୍ଭ ପ୍ରତି ସେମାନଙ୍କ ହୃଦୟ ପ୍ରସ୍ତୁତ କର;
19ପୁଣି, ତୁମ୍ଭର ଆଜ୍ଞା, ତୁମ୍ଭ ପ୍ରମାଣ-ବାକ୍ୟ ଓ ତୁମ୍ଭ ବିଧିସବୁ ପାଳନ କରିବା ପାଇଁ ଓ ଏହିସବୁ କାର୍ଯ୍ୟ କରିବା ପାଇଁ, ଆଉ, ମୁଁ ଯେଉଁ ପ୍ରାସାଦ ପାଇଁ ଆୟୋଜନ କରୁଅଛି, ତାହା ନିର୍ମାଣ କରିବା ପାଇଁ ମୋʼ ପୁତ୍ର ଶଲୋମନକୁ ସିଦ୍ଧ ଅନ୍ତଃକରଣ ଦିଅ।”
20ଏଉତ୍ତାରେ ଦାଉଦ ସମଗ୍ର ସମାଜକୁ କହିଲେ, “ତୁମ୍ଭେମାନେ ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର।” ତହିଁରେ ସମସ୍ତ ସମାଜ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କର ଧନ୍ୟବାଦ କଲେ ଓ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ପ୍ରଣାମ କଲେ।
21ତହୁଁ ସେମାନେ ପରଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ସହସ୍ର ଗୋରୁ, ଏକ ସହସ୍ର ମେଷ ଓ ଏକ ସହସ୍ର ମେଷଶାବକ ପେୟ-ନୈବେଦ୍ୟ ସହିତ ବଳିଦାନ କଲେ ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସମଗ୍ର ଇସ୍ରାଏଲ ନିମନ୍ତେ ଅଧିକ ପରିମାଣର ବଳି ଉତ୍ସର୍ଗ କଲେ।
22ଆଉ ସେହି ଦିନ ମହାନନ୍ଦରେ ସଦାପ୍ରଭୁଙ୍କ ସାକ୍ଷାତରେ ଭୋଜନପାନ କଲେ। ପୁଣି, ସେମାନେ ଦାଉଦଙ୍କର ପୁତ୍ର ଶଲୋମନଙ୍କୁ ଦ୍ୱିତୀୟ ଥର ରାଜା କଲେ, ଆଉ ତାଙ୍କୁ ଅଗ୍ରଣୀ ହେବା ପାଇଁ ଓ ସାଦୋକକୁ ଯାଜକ ହେବା ପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଭିଷେକ କଲେ।