16ହେ ସଦାପ୍ରଭୋ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭ ପବିତ୍ର ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ପାଇଁ ଆମ୍ଭେମାନେ ଏହି ଯେଉଁ ସକଳ ପଦାର୍ଥ ସଞ୍ଚୟ କରିଅଛୁ, ତାହା ତୁମ୍ଭ ହସ୍ତରୁ ଆସିଅଛି ଓ ସବୁ ତୁମ୍ଭ ନିଜର ଅଟେ।
17ଆହୁରି ହେ ମୋହର ପରମେଶ୍ୱର, ମୁଁ ଜାଣେ ଯେ, ତୁମ୍ଭେ ଅନ୍ତଃକରଣ ପରୀକ୍ଷା କରିଥାଅ ଓ ସରଳତାରେ ତୁମ୍ଭର ସନ୍ତୋଷ ଥାଏ। ମୁଁ ଆପଣା ଅନ୍ତଃକରଣର ସରଳତାରେ ସ୍ୱେଚ୍ଛାପୂର୍ବକ ଏହିସବୁ ପଦାର୍ଥ ଦାନ କରିଅଛି; ଆଉ ଏଠାରେ ଉପସ୍ଥିତ ତୁମ୍ଭ ଲୋକମାନଙ୍କୁ ସ୍ୱେଚ୍ଛାପୂର୍ବକ ତୁମ୍ଭ ଉଦ୍ଦେଶ୍ୟରେ ଦାନ କରିବାର ଦେଖି ମୁଁ ଆନନ୍ଦିତ ହେଲି।
18ହେ ସଦାପ୍ରଭୋ, ଆମ୍ଭମାନଙ୍କ ପୂର୍ବପୁରୁଷ ଅବ୍ରହାମର, ଇସ୍ହାକର ଓ ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କ ହୃଦୟସ୍ଥ ଚିନ୍ତାର କଳ୍ପନାରେ ଏହା ସଦାକାଳ ରଖ ଓ ତୁମ୍ଭ ପ୍ରତି ସେମାନଙ୍କ ହୃଦୟ ପ୍ରସ୍ତୁତ କର;
19ପୁଣି, ତୁମ୍ଭର ଆଜ୍ଞା, ତୁମ୍ଭ ପ୍ରମାଣ-ବାକ୍ୟ ଓ ତୁମ୍ଭ ବିଧିସବୁ ପାଳନ କରିବା ପାଇଁ ଓ ଏହିସବୁ କାର୍ଯ୍ୟ କରିବା ପାଇଁ, ଆଉ, ମୁଁ ଯେଉଁ ପ୍ରାସାଦ ପାଇଁ ଆୟୋଜନ କରୁଅଛି, ତାହା ନିର୍ମାଣ କରିବା ପାଇଁ ମୋʼ ପୁତ୍ର ଶଲୋମନକୁ ସିଦ୍ଧ ଅନ୍ତଃକରଣ ଦିଅ।”
20ଏଉତ୍ତାରେ ଦାଉଦ ସମଗ୍ର ସମାଜକୁ କହିଲେ, “ତୁମ୍ଭେମାନେ ଏବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର।” ତହିଁରେ ସମସ୍ତ ସମାଜ ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କର ଧନ୍ୟବାଦ କଲେ ଓ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ପ୍ରଣାମ କଲେ।