24ତହୁଁ ସେ ଯାତ୍ରା କରନ୍ତେ, ପଥ ମଧ୍ୟରେ ଏକ ସିଂହ ତାହାକୁ ଭେଟି ବଧ କଲା। ପୁଣି, ପଥ ମଧ୍ୟରେ ତାହାର ଶବ ପଡ଼ି ରହିଲା ଓ ଗଧ ତାହା ନିକଟରେ ଠିଆ ହେଲା; ସିଂହ ମଧ୍ୟ ସେହି ଶବ ନିକଟରେ ଠିଆ ହେଲା।
25ଏଉତ୍ତାରେ ଦେଖ, ଲୋକମାନେ ଯାଉ ଯାଉ ପଥ ମଧ୍ୟରେ ଶବ ପଡ଼ିଥିବାର ଓ ଶବ ପାଖରେ ସିଂହ ଠିଆ ହୋଇଥିବାର ଦେଖିଲେ; ତହୁଁ ସେମାନେ ଆସି ସେହି ପ୍ରାଚୀନ ଭବିଷ୍ୟଦ୍ବକ୍ତାର ନିବାସ-ନଗରରେ ତାହା ଜଣାଇଲେ।
26ଏଥିରେ ଯେଉଁ ଭବିଷ୍ୟଦ୍ବକ୍ତା ତାହାଙ୍କୁ ପଥରୁ ଫେରାଇ ଆଣିଥିଲା, ସେ ସେହି କଥା ଶୁଣି କହିଲା, “ଯେ ସଦାପ୍ରଭୁଙ୍କ ବାକ୍ୟର ବିରୁଦ୍ଧାଚରଣ କରିଥିଲା, ଏ ପରମେଶ୍ୱରଙ୍କ ସେହି ଲୋକ; ଏହେତୁ ତାହା ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସଦାପ୍ରଭୁ ତାହାକୁ ସିଂହ ହସ୍ତରେ ସମର୍ପଣ କରନ୍ତେ, ସେ ତାହାକୁ ବିଦୀର୍ଣ୍ଣ କରି ବଧ କରିଅଛି।”
27ଏଣୁ ସେ ଆପଣା ପୁତ୍ରମାନଙ୍କୁ କହିଲା, “ମୋʼ ପାଇଁ ଗଧ ସଜାଅ।” ତହୁଁ ସେମାନେ ଗଧ ସଜାଇଲେ।
28ଏଥିରେ ସେ ଯାଇ ପଥ ମଧ୍ୟରେ ତାହାର ଶବ ପଡ଼ିଥିବାର, ପୁଣି, ଗଧ ଓ ସିଂହ ଶବ ନିକଟରେ ଠିଆ ହୋଇଥିବାର ଦେଖିଲା; ସିଂହ ଶବ ଖାଇ ନ ଥିଲା, କି ଗଧକୁ ବିଦୀର୍ଣ୍ଣ କରି ନ ଥିଲା।