11ଯାରବୀୟାମର କେହି ନଗରରେ ମଲେ, କୁକ୍କୁରମାନେ ତାକୁ ଖାଇବେ ଓ କେହି କ୍ଷେତ୍ରରେ ମଲେ, ଆକାଶର ପକ୍ଷୀମାନେ ତାକୁ ଖାଇବେ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।’
12ଏନିମନ୍ତେ ତୁମ୍ଭେ ଉଠି ଆପଣା ଗୃହକୁ ଯାଅ; ନଗରରେ ତୁମ୍ଭ ପାଦ ପଡ଼ିଲା କ୍ଷଣେ ବାଳକ ମରିବ।
13ପୁଣି, ତାହା ନିମନ୍ତେ ସମୁଦାୟ ଇସ୍ରାଏଲ ଶୋକ କରି ତାହାକୁ କବର ଦେବେ; ମାତ୍ର ଯାରବୀୟାମ ସମ୍ପର୍କୀୟର କେବଳ ସେ ହିଁ କବର ପାଇବ; କାରଣ ଯାରବୀୟାମ-ବଂଶ ମଧ୍ୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରତି ତାହାରିଠାରେ କିଛି ସଦ୍ଭାବ ଦେଖାଯାଇଅଛି।
14ଆହୁରି ସଦାପ୍ରଭୁ ଆପଣା ପାଇଁ ଇସ୍ରାଏଲ ଉପରେ ଏକ ରାଜା ଉତ୍ପନ୍ନ କରିବେ, ସେ ସେହି ଦିନ ଯାରବୀୟାମ-ବଂଶକୁ ଉଚ୍ଛିନ୍ନ କରିବ; ମାତ୍ର କଅଣ? ଏବେ ତାହା ଘଟିବ।
15କାରଣ ସଦାପ୍ରଭୁ ଜଳରେ ହଲିଲା ନଳ ପରି ଇସ୍ରାଏଲକୁ ଆଘାତ କରିବେ; ପୁଣି, ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ଇସ୍ରାଏଲକୁ ଉତ୍ପାଟନ କରି ନଦୀ ସେପାରିରେ ସେମାନଙ୍କୁ ଛିନ୍ନଭିନ୍ନ କରିବେ; ଯେହେତୁ ସେମାନେ ଆପଣାମାନଙ୍କର ଆଶେରା ମୂର୍ତ୍ତିମାନ ନିର୍ମାଣ କରି ସଦାପ୍ରଭୁଙ୍କୁ ବିରକ୍ତ କରିଅଛନ୍ତି।