15ତହୁଁ ସେ କହିଲା, “ତୁମ୍ଭେ ଜାଣ ଯେ, ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋʼ ପ୍ରତି ଅନାଇଥିଲେ; ଯାହାହେଉ, ରାଜ୍ୟ ବଦଳି ଯାଇ ମୋʼ ଭାଇଙ୍କର ହୋଇଅଛି; କାରଣ, ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା।
16ଏଣୁ ଏବେ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି, ମୋତେ ମନା ନ କର।” ବତ୍ଶେବା ତାହାକୁ କହିଲେ, “କୁହ।”
17ତହୁଁ ସେ କହିଲା, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋʼ ସଙ୍ଗେ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।”
18ଏଥିରେ ବତ୍ଶେବା କହିଲେ, “ଭଲ; ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”
19ଏହେତୁ ବତ୍ଶେବା ଅଦୋନୀୟ ନିମନ୍ତେ କହିବା ପାଇଁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ତହୁଁ ରାଜା ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ଆପଣା ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଆସନ ରଖାଇଲେ; ତହିଁରେ ସେ ତାଙ୍କର ଦକ୍ଷିଣ ପାଖରେ ବସିଲେ।